Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଡିଭିଲିୟର୍ସ-ଦେବଦୂତ-ଫିଞ୍ଚଙ୍କ ଦମଦାର ଅର୍ଦ୍ଧଶତକ, ମୁମ୍ଵାଇ ଇଣ୍ଡିଆନ୍ସକୁ ୨୦୨ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

28/09/2020 at 9:12 PM

ଦୁବାଇ ୨୮।୦୯: ଦୁବାଇର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍  ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ଦଶମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟସମ୍ୟାନଙ୍କ ଦମରେ ମୁମ୍ବାଇ ସମ୍ମୁଖରେ ଚ୍ୟାଲେଞ୍ଜିଂ ସ୍କୋର କରିଛି। ଏବି ଡିଭିଲିୟର୍ସଙ୍କ ଅପରାଜିତ ବିସ୍ଫୋରକ ୫୫ ରନ, ଦେବଦୁତ୍ତ ପାଡିକଲଙ୍କ ୫୪ ଓ ଆରୋନ ଫିଞ୍ଚଙ୍କ ୫୨ ରନ ସହାୟତାରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୦୧ ରନର ବିଶାଳ ସ୍କୋର କରିଛି। ମୁମ୍ବାଇ ସମ୍ମୁଖରେ ରହିଛି ୨୦୨ ରନର ବିଶାଳ ବିଜୟ ଲକ୍ଷ୍ୟ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜସ ବେଙ୍ଗାଲୁରୁକୁ ଦୁଇ ଓପନର ଦେବଦୁତ୍ତ ପାଡିକଲ ଓ ଆରୋନ ଫିଞ୍ଚ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ମୁମ୍ବାଇ ବୋଲରଙ୍କୁ ଉପରେ ପ୍ରାଧ୍ୟାନ ବିସ୍ତାର କରିଥିଲେ। ୯ ଓଭରରେ ଦେବଦୁତ ଓ ଫିଞ୍ଚ ପ୍ରଥମ ଓ୍ଵିକେଟ୍‌ରେ ୮୧ ରନ ଯୋଡି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଫିଞ୍ଚ ଆଇପିଏଲରେ ୧୪ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୫ ବଲରୁ ୭ ଚୌକା ଓ ୧ ଛକା ଜରିଆରେ ୫୨ ରନ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ କିରଣ ପୋଲାର୍ଡଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ।

ଏହା ପରେ କ୍ରିଜକୁ ଆସିଥିବା ଅଧିନାୟକ ବିରାଟ କୋହଲି ନିଜର ଖରାପ ଫର୍ମ ଜାରି ରଖି ୧୧ ବଲରୁ ମାତ୍ର ୩ ରନ କରି ରାହୁଲ ଚହରଙ୍କ ବଲରେ ରୋହିତ ଶର୍ମାଙ୍କୁ କ୍ୟାଚ୍‌ ଦେଇ ଆଉଟ୍ ହୋଇଥିଲେ। ଏହା ପରେ କ୍ରିଜରେ ଜମି ରହିଥିବା ଦେବଦୁତ ପାଡିକଲ ଓ ଫର୍ମରେ ଥିବା ଏବି ଡିଭିଲିୟର୍ସ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ରନ ଜାରି ରଖି ଦଳର ସ୍କୋରକୁ ୧୫୪ରେ ପହଞ୍ଚାଇଥିଲେ। ପ୍ରଥମ ଥର ଆଇପିଏଲରେ  ଖେଳୁଥିବା ପାଡିକଲ ତୃତୀୟ ମ୍ୟାଚ୍‌ରୁ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୦ ବଲରୁ ୫ ଚୌକା ଓ ୨ ଛକା ସହାୟତାରେ ୫୪ ରନ କରିଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ କିରଣ ପୋଲାର୍ଡଙ୍କୁ କ୍ୟାଚ୍‌ ଦେଇ ସେ ପାଭିଲିୟନ ଫେରିଥିଲେ।

ଅନ୍ୟପଟେ ଏବି ଡିଭିଲିୟର୍ସ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୩ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ଆଇପିଏଲରେ ତାଙ୍କର ୩୪ତମ ଅର୍ଦ୍ଧଶତକ। ଏଥିସହ ଆଇପିଏଲରେ ସେ ୪୫୦୦ ରନ ପୂରଣ କରିଛନ୍ତି। ଶେଷରେ ଡିଭିଲିୟର୍ସଙ୍କ ୨୪ ବଲରୁ  ୪ ଚୌକା ଓ ୪ ଛକା ସହାୟତାରେ ୫୪ ରନ ଏବଂ ଶିବମ ଦୁବେଙ୍କ ମାତ୍ର ୧୦ ବଲରୁ ୨୭ ରନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୦୧ ରନ କରି ପାରିଛି।

ମୁମ୍ଵାଇ ଇଣ୍ଡିଆନ୍ସ ତରଫରୁ ସଫଳ ବୋଲର ଭାବେ ଟ୍ରେଣ୍ଟ ବୋଲ୍ଟ ୨ଟି ଓ୍ଵିକେଟ୍ ନେଇଛନ୍ତି। ରାହୁଲ ଚହଲରଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।

   Related Posts