ଭୁଶୁଡିଲା ହସ୍ପିଟାଲର ଛାତ, ଅଳ୍ପକେ ବର୍ତ୍ତିଲେ ଦୁଇ କର୍ମଚାରୀ
14/12/2020 at 9:36 PM

ନୀଳଗିରି ୧୪/୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ହସ୍ପିଟାଲ କାର୍ଯ୍ୟାଳୟରେ ଛାତ ଭୁଶୁଡି କମ୍ପ୍ୟୁଟର ଓ ଆସବାପତ୍ର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଫଳରେ ଅଳ୍ପକେ ଦୁଇ କର୍ମଚାରୀ ବର୍ତ୍ତି ଯାଇଥିବା ଜଣାପଡିଛି। ନୀଳଗିରି ହସ୍ପିଟାଲ ପରିସରରେ ଥିବା ଏକ ପୁରୁଣା ବିଲ୍ଡିଂ ପରିସରରେ ଏସଡ଼ିଏମଓ ଅଫିସ, ଏନଏଚଏମ ଅଫିସ ଓ ଅନ୍ୟ ଅଫିସ ରହିଛି।
ବିଲ୍ଡିଂ ଉପରେ ବଡ଼ବଡ଼ ପାଣିଟାଙ୍କି ବିପଦ ସଂକୁଳ ଅବସ୍ଥାରେ ବସି ରହିଛି। ଟାଙ୍କିରୁ ପାଣିଝରି ଛାତ ସବୁବେଳେ ଓଦା ରହି ଛାତ ଭିତରେ ଥିବା ରଡ୍ ସବୁ ନଷ୍ଟ ହୋଇଗଲାଣି। ପାଣି ଛାତ ତଳୁ ଝରିବା ମଧ୍ୟ ଦେଖାଯାଇଛି। ଆଜି ଏନଏଚଏମ ବିଭାଗ କାର୍ଯ୍ୟାଳୟରେ ଆଜି ହସ୍ପିଟାଲ ପ୍ରୋଗ୍ରାମ ମ୍ୟାନେଜର ବିଶ୍ୱଜିତ ଦାସ ଓ ଏକାଉଟେଣ୍ଟ ସତ୍ୟରଞ୍ଜନ ଦାସ ବସି ଅଫିସ କାର୍ଯ୍ୟ କରୁଥିବା ବେଳେ ହଠାତ ଛାତ ତଳପଟରୁ ବିରାଟକାୟ ଢଳେଇ ଖଣ୍ଡ ଗଳି ପଡିଥିଲା। ଫଳରେ କମ୍ପୁଟର ସାମଗ୍ରୀ ଭାଙ୍ଗିଯାଇଥିବା ବେଳେ ଟେବୁଲ କାଚ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଭାଙ୍ଗିଯାଇଛି। ଅଳ୍ପକେ ଦୁଇ କର୍ମଚାରୀ ବର୍ତ୍ତି ଯାଇଛନ୍ତି।