ଅନୁସନ୍ଧାନ/ ବାତ୍ୟା ଫୋନିର ୩ମାସ ପରେ ମଧ୍ୟ କାହିଁକି ମୁଣ୍ଡଉପରୁ ଛାତହରାଇ ବେସାହାରା ହୋଇଥିବା ୫ଲକ୍ଷରୁ ଅଧିକ ପରିବାର ପାଉନାହାନ୍ତି ସହାୟତା, ଜାଣନ୍ତୁ କାରଣ

Published By : Prameya-News7 Bureau | July 28, 2019 IST

ଭୁବନେଶ୍ବର (କିଷନ ବରାଇ) ୨୮|୭: ବାତ୍ୟା ଫନି ଯିବାର ୩ ମାସ ହେଲାଣି । ମୁଣ୍ଡ ଉପରୁ ଛାତ ହରାଇ ବେସାହାରା ହୋଇଛନ୍ତି ୫ଲକ୍ଷରୁ ଅଧିକ ପରିବାର । ଅନାଇ ବସିଛନ୍ତି ସରକାରୀ ସହାୟତାକୁ । ହେଲେ କାହିଁକି ଏ ଯାଏଁ ଏମାନଙ୍କୁ ଘର ଦିଆଯାଇ ପାରୁନାହିଁ । ତାହାର କାରଣ ଖୋଜୁ ଖୋଜୁ ନ୍ୟୁଜ୭ ହାତରେ ଲାଗିଛି ଏକ୍ସକ୍ଲ୍ୟୁସିଭ୍ ତଥ୍ୟ । କ୍ଷତିଗ୍ରସ୍ତ ଏବେ ବି ଖୋଲା ଆକାଶ ତଳେ ଥିବାବେଳେ, ଏଠି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଲାଗିଛି ଭାଗ କଳି ।

ସହାୟତାକୁ ଚାହିଁ ଚାହିଁ ୩ ମାସ ବିତିଲାଣି । ହେଲେ ଏଠି ଛିଡ଼ୁନି ଭାଗବଣ୍ଟା କଳି । ଫନି କ୍ଷତିଗ୍ରସ୍ତକୁ ଘର ଦେବାରେ କାହାର କେତେ ଭାଗ ରହିବ ? ରାଜ୍ୟ କହୁଛି, କେନ୍ଦ୍ର ଦେଉ ୯୦ଭାଗ, ହେଲେ କେନ୍ଦ୍ର ୬୦ଦେବା ଜିଦରେ ଅଟଳ । ବାତ୍ୟା ପରେ ପରେ ୧୩ମେରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ୫ଲକ୍ଷ ଫନି ବିପନ୍ନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାକୁ ଅନୁରୋଧ କରିଥିଲେ ।

ଏହା ସହ ଏଥିରେ କେନ୍ଦ୍ର-ରାଜ୍ୟ ଭାଗକୁ ୯୦-୧୦ ଲାଗି ବି ଅନୁରୋଧ କରିଥିଲେ । ତେବେ ସଂସଦରେ ଏ ସଂକ୍ରାନ୍ତରେ ସାଂସଦ ସଂଗୀତା ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍ ଏହାର ଉତ୍ତର ରଖିଛନ୍ତି । ୯୦-୧୦ ଭାଗର ପ୍ରସ୍ତାବରେ କେନ୍ଦ୍ର ରାଜ୍ୟ ହୋଇ ନ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ନିୟମ ଅନୁସାରେ କେନ୍ଦ୍ରର ୬୦ ଭାଗ ରାଜ୍ୟର ୪୦ ଭାଗ ନିୟମ ଲାଗୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତେବେ ଫନି ବିପନ୍ନଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଦେବା ଅନୁରୋଧକୁ ସେ ସ୍ୱୀକୃତି ଦେଇଛନ୍ତି । ଏଥିଲାଗି ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ଫନି ବିପନ୍ନଙ୍କ ତାଲିକା ସ୍ୱତନ୍ତ୍ର ଭାବେ ୧୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟକୁ କୁହାଯାଇଛି ।

ଫନି ପରେ ସହାତାକୁ ନେଇ କେନ୍ଦ୍ର-ରାଜ୍ୟ ଉଭୟେ ବେଶ୍ ବାହାଦୁରୀ ମାରିଥିଲେ । ରାଜନୈତିକ ଶତ୍ରୁତା ଭୁଲି ପରସ୍ପରର ପିଠି ଥାପୁଡେଇଥିଲେ । ହେଲେ ଠିକ୍ ସହାୟତା ଦେବା ବେଳକୁ କିଏ କେତେ ଦେବ ସେ ଭାଗ ଛିଡ଼ୁନି । ସେପଟେ କିନ୍ତୁ ଦୁଃଖ ଦୁର୍ଦ୍ଦଶାରେ ଦିନ ବିତାଉଛନ୍ତି କ୍ଷତିଗ୍ରସ୍ତ ।

{"id":138296,"width":575,"height":827}
{"id":138297}
{"id":138298}
{"id":138299}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.