ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଜିଲ୍ଲା ଅବକାରୀ ଟିମ୍‌ର ଚଢ଼ାଉ: ମହିଳାଙ୍କୁ ଗିରଫ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | June 22, 2020 IST

ନୀଳଗିରି୨୨/୬: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚାଲିଛି ବେଧଡ଼କ ଚୋରା ମଦ କାରବାର।ବାରମ୍ବାର ଅଭିଯୋଗ ସତ୍ତ୍ବେ ଅବକାରୀ ବିଭାଗ କାଁ, ଭାଁ ଚଢ଼ାଉ କରୁଥିବା ବେଳେ ବଡ଼ ବେପାରୀ ଖସି ଯିବାକୁ ସକ୍ଷମ ହେଉଛନ୍ତି। ହେଲେ ଆଜି ଜିଲ୍ଲା ଅବକାରୀ ବିଭାଗର ଏକ ସ୍ଵତନ୍ତ୍ର ଟିମ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍‌ ଫୋର୍ସ ନେଇ ପୁନଦାଳ ଚଢ଼ାଉ କରିବା ପରେ ଏକ ବଡ଼ ଧରଣର ସଫଳତା ପାଇଥିଲେ ମଧ୍ୟ ଚୋରା ମଦ ବେପାରୀ ଖସି ଯାଇଥିଲେ। ୧୦୦୦ କେଜି ପୋଚ, ୨୦୦ ଲିଟର ଦେଶୀମଦ, ବିପୁଳ ପରିମାଣରେ ମଦ ରନ୍ଧା ସାମଗ୍ରୀ  ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ନୀଳଗିରି ଆଦିବାସୀ ବହୁଳ ଅଂଚଳରେ ଦିନକୁ ଦିନ ଚୋରା ଦେଶୀ ମଦ ଭାଟି ବଢ଼ିବାରେ ଲାଗିଛି। କୂଳଡିହା ସୀମାନ୍ତର କିଛି ଗାଁ, ୩ କୋଶିଆ ଜଙ୍ଗଲକୁ ଲାଗିଥିବା କିଛି ଗାଁ ସମେତ ସୋନ ନଦୀ କୂଳରେ ଥିବା ଗାଁ ଗୁଡିକରେ ଦେଶୀ ମଦ ଭାଟିର ହବ ଥିବା ଅଭିଯୋଗ ହୋଇ ଆସୁଥିଲା। ଏହି ସବୁ ଚୋରା ଭାଟିରୁ ମଦ ବାଇକ୍ ଯୋଗେ ଆଣି ବିଭିନ୍ନ ଗାଁକୁ ମଦ ଚାଲାଣ ହେଉଥିଲା। ଏପରି କି କିଛି ଗାଁର ସ୍ୱୟଂସହାୟକ ମହିଳା ମଦ ବେପାରୀଙ୍କୁ କାବୁ କରି ପୋଲିସ୍‌ରେ ଜିମା ଦେଇ ଆସୁଥିଲେ।

ହେଲେ ପୁନଦାଳ,ରାଧାକିଶୋରପୁର, କାଂଶ, ନରସିଂହପୁରପୁର, କାଠପାଳ, ମଛୁଆ, ବେଗୁନିଆ, ସିଙ୍ଗିରୀ ଆଦି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ନେଇ ଜିଲ୍ଲାପାଳ ଏବଂ ଅବକାରୀ ବିଭାଗରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡ ଶେଖ ଆସଫ ଅଲି୍‌ଙ୍କ ନେତୃତ୍ୱରେ ଜିଲ୍ଲାର ସବୁ ଅବକାରୀ ବିଭାଗର ଅଧିକାରୀ, ପୋଲିସ ଫୋର୍ସଙ୍କ ସମେତ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା  ଅସିଷ୍ଟାଣ୍ଡ କଲେକ୍ଟର ସୌମ୍ୟରଞ୍ଜନ ବେହେରାଙ୍କ ଉପସ୍ଥିତିରେ ପୁନଦାଳରେ ଆରମ୍ଭ କରାଯାଇଥିଲା ଆଜି ସକାଳୁ ଅଚାନକ ଚଢ଼ାଉ। ପୋଲିସ ଫୋର୍ସ ଦେଖି ଛତ୍ରଭଙ୍ଗ ଦେଇଥିଲେ ଚୋରା ମଦ ବେପାରୀ।

ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ୧୦୦୦ ଲିଟର ମଦ, ୨୦୦ ଲିଟର ଦେଶୀ ମଦ ଓ ବିପୁଳ ପରିମାଣରେ ପ୍ଲାଷ୍ଟିକ ଓ ସିଲଭର ହଣ୍ଡା ଜବତ କରାଯାଇଛି। ଗୋପିଆ ସିଂ ଙ୍କ ପୁଅ ସନିଆ (୫୦)ଙ୍କ ଠାରୁ ୨୦ ଲିଟର ଦେଶୀମଦ ଓ ନାଣ୍ଡୁ ସିଂ ଙ୍କ ସ୍ତ୍ରୀ ବାସନ୍ତୀ (୫୦)ଙ୍କ ଠାରୁ ୮ ଲିଟର ଦେଶୀ ମଦ ଜବତ ଦର୍ଶାଇ ତାଙ୍କୁ ଗିରଫ କରାଯାଇଥିଲା।ଗିରଫ ମହିଳା ଜଣକ ସେଠାରେ ଦାନ୍ତ ଘଷୁଥିଲେ ସେ ମଦ ବିକୁନଥିଲେ ବୋଲି ଯେତେ ନେହୁରା ହେଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଶେଷରେ ନୀଳଗିରି ଅବକାରୀ ଓଇଆସି ଲକ୍ଷ ସାଧବ ପ୍ରଧାନ ମହିଳା ଜଣଙ୍କ ନିର୍ଦୋଷ ହୃଦବୋଧ କରି ତଦନ୍ତ କରିଥିଲେ।

ତେବେ ନୀଳଗିରି ର କାର୍ଯ୍ୟରତ ମହିଳା କର୍ମଚାରୀ ଉର୍ମିଳା ବେହେରା ଘଟଣା ମୁଣ୍ଡ ପୁରାଇ ମହିଳା ଜଣଙ୍କୁ ନାଲି ଆଖି ଦେଖାଇ ଆମ ଇଚ୍ଛା ଆମେ ଯାହା କରିବୁ କହିଥିଲେ। ସର୍ବଶେଷରେ ତାଙ୍କୁ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରାଯାଇଥିଲା। ଆଜିର ଏହି ଚଢ଼ାଉରେ ମଧ୍ୟ ଅବକାରୀ ବିଭାଗର ସଦର ଇନିସ୍ପେକ୍ଟର ପ୍ରବୀର କୁମାର ପ୍ରଧାନ, ମୋବାଇଲ ଇନିସ୍ପେକ୍ଟର ଗାଲୁରାମ ସରେନ, ନୀଳଗିରି ଓଇଆସି ଲକ୍ଷସାଧବ ପ୍ରଧାନ,ଜଳେଶ୍ବର ଓଆଇସି ହରପ୍ରସାଦ ରଣା, ବସ୍ତା ଓଆଇସି ଅମୀୟ ମାରାଣ୍ଡି ,ଅବକାରୀ ବିଭାଗର କନେଷ୍ଟବଳ,ବାଲେଶ୍ଵର ଓ ନୀଳଗିରି ଏପିଆର ଫୋର୍ସ ସାମିଲ ଥିଲେ। ତେବେ ଜଣେ ନିରୀହ ମହିଳାଙ୍କୁ ଗିରଫ କରିବା ଅଭିଯୋଗ ପରେ ଅବକାରୀ ବିଭାଗ ଉପରେ ଏବେ ଆଙ୍ଗୁଳି ଉଠିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.