Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀର ୨ କରୋନା ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରିକୁ ନେଇ ଉଠୁଛି ପ୍ରଶ୍ନ: ଆକ୍ସନ ମୋଡ୍‌ରେ ଜିଲ୍ଲା ପ୍ରଶାସନ

11/05/2020 at 9:29 PM

ପୁରୀ୧୧/୫: ନିକଟରେ ପୁରୀରେ ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରିକୁ ନେଇ ଉଠିଛି ପ୍ରଶ୍ନ। ଏମାନେ ଗଲା ୫ ତାରିଖରେ ଏକ ଭଡ଼ା ଗାଡ଼ିରେ ପଶ୍ଚିମବଙ୍ଗରୁ ପୁରୀ ଫେରିଥିବା ବେଳେ କ୍ବାରେଣ୍ଟାଇନ୍‌ ନିୟମ ନମାନି ପୁରୀରେ ଏଣେ ତେଣେ ବୁଲାବୁଲି କରିଥିବା କୁହାଯାଉଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣଙ୍କୁ ଚିହ୍ନଟ କରି କ୍ବାରେଣ୍ଟାଇନ୍‌କୁ ପଠାଇବା ସହ ଦୁଇ ଆକ୍ରାନ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

ମେ’ ୫ ତାରିଖରେ ଏକ କାର୍‌ରେ ପଶ୍ଚିମବଙ୍ଗରୁ ୩ ଜଣ ପୁରୀ ଆସିଛନ୍ତି । ପୁରୀ ରେଣୁକା ଗଳି ମହାଦେବ ଲେନ୍‌ରେ ଥିବା ଘରେ ଆରାମ୍‌ରେ ରହୁଛନ୍ତି । ସହରରେ ବିନ୍ଦାସ ବୁଲିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଏମାନଙ୍କ ପାଖରେ ପହଞ୍ଚୁଛି ଜିଲ୍ଲା ପ୍ରଶାସନ । ମେ’ ୭ରେ ଏମାନଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ପଠା ଯାଉଛି । ମେ‘ ୧୦ ରେ ଏମାନଙ୍କ ଭିତରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସୁଛି । ତେବେ ପୁରୀରେ ଚିହ୍ନଟ ହୋଇଥିବା ଏଇ ୨ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରିକୁ ନେଇ ଉଠିଛି ନା ନା ପ୍ରଶ୍ନ ।

ଏମାନେ ପଶ୍ଚିମବଙ୍ଗରୁ ପୁରୀ ଆସିଥିଲେ ମଧ୍ୟ ସରକାରଙ୍କ ନିୟମ ଅନୁସାରେ ପଞ୍ଜିକରଣ କରିଥିଲେ କି ନାହିଁ? ଓଡ଼ିଶା ଭିତର ଦେଇ ପୁରୀ ପର୍ଯ୍ୟନ୍ତ ଆସିଥିବା ଏମାନଙ୍କ ଗାଡ଼ିକୁ କାହିଁକି କେଉଁଠି ଯାଞ୍ଚ କରାଯାଇ ନଥିଲା ?  ସହର ଭିତରେ ପ୍ରବେଶ ପରେ ଏମାନେ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ନଯାଇ କେମିତି ସିଧା ଘରକୁ ଗଲେ ?  କେବଳ ସେତିକି ନୁହେଁ ଘରେ ରହିବା ଅବସ୍ଥାରେ ଏମାନେ ପୁରୀରେ ବିଭିନ୍ନ ଯାଗା ବୁଲିଲେ କେମିତି ?  ଏସବୁ ପ୍ରଶ୍ନ ଏବେ ପୁରୀବାସୀଙ୍କ ଭିତରେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ସେପଟେ ପ୍ରଶାସନ ଚିହ୍ନଟ ୨ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଥିବା ବେଳେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣଙ୍କୁ କ୍ବାରେଣ୍ଟାଇନ୍‌କୁ ପଠାଇଛି । ତେବେ ସରକାରଙ୍କ କୋଭିଡ୍ ନିୟମ ମାନି ନଥିବା ଏହି ୨ ଆକ୍ରାନ୍ତଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ପୁରୀରେ ଏବେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ସରକାରଙ୍କ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ରଥ ଖଳାକୁ ବ୍ୟାରିକେଡ୍‌ ଓ କପଡ଼ା ଘେରାଯାଇ ନିର୍ମାଣ କାର୍ଯ୍ୟ କରାଯାଉଛି । ଏମିତିରେ ଗ୍ରୀନଜୋନ୍‌ରେ ଥିବା ପୁରୀରେ କିଛି ଛୁପା ରୁସ୍ତମଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ ବୋଲି ଅନୁଭବ କରୁଛନ୍ତି ପୁରୀବାସିନ୍ଦା । ତେବେ ୩୭ ଦିନ ପରେ ଯେତେବେଳେ ପୁରୀରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେତେବେଳେ ଷ୍ଟ୍ରଙ୍ଗ ଆକ୍ସନକୁ ଆସିଛି ଜିଲ୍ଲାପ୍ରଶାସନ ।  ରେଣୁକା ଗଳି ମହାଦେବ ଲେନ ଅଂଚଳରକୁ କଣ୍ଟେନମେଣ୍ଟ କରାଯାଇଛି । ସାରା ଅଂଚଳକୁ ସାନିଟାଇଜ୍‌ କରାଯାଇଛି । ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ ବଦଳରେ ସରକାରୀ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଚାହୁଁଥିବା ବ୍ୟକ୍ତି କିଛି ହୋଟେଲରେ ପେଡ୍‌ କ୍ବାରେଣ୍ଟାଇନ୍‌ରେ ମଧ୍ୟ ରହିପାରିବେ ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ ।

ପୂର୍ବରୁ ପୁରୀ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଆକ୍ରାନ୍ତ ବ୍ୟକ୍ତି ପିପିଲି ଦାନଗୋହିରି ଅଂଚଳର ଥିଲେ । କିଛି ଦିନ ପୂର୍ବରୁ ସେ ହସ୍ପିଟାଲରୁ  ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ହେଲେ ଏବେ ପୁରୀ ସହରରେ ପ୍ରଥମକରି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ସହରବାସୀଙ୍କ ଭିତରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି ।

   Related Posts