ରଥଯାତ୍ରା ପାଇଁ କଠୋର ହେଲା ପୁରୀ ପ୍ରଶାସନ, ଛାତ ଉପରୁ ଦର୍ଶନରେ ଲାଗିଲା କଟକଣା

Published By : Prameya-News7 Bureau | July 03, 2021 IST

ପୁରୀ ୩/୭ : ରଥଟଣା ବେଳେ ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ଥିବା ଘର ଉପର ବାଲ୍‌କୋନିରେ ବସି ସ୍ଥାନୀୟ ବାସିନ୍ଦାମାନେ ଘୋଷଯାତ୍ରା ଦେଖି ପାରିବେ ନାହିଁ । ରଥଯାତ୍ରା ପାଇଁ ଏଭଳି କଟକଣା ଜାରି କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଶୁକ୍ରବାର ଅନୁଷ୍ଠିତ ବିଭିନ୍ନ ସେବାୟତ ନିଯୋଗର ବୈଠକ ବେଳେ ଖୁଣ୍ଟିଆ ନିଯୋଗର କର୍ମକର୍ତ୍ତାମାନେ ମଧ୍ୟ ଏଭଳି ଦାବି କରିଥିଲେ ।

ଜିଲ୍ଲାପାଳଙ୍କ ସହ ଖୁଣ୍ଟିଆ ନିଯୋଗର ଆଲୋଚନା ବେଳେ ଏହି ପ୍ରସ୍ତାବ ବି ଆସିଥିଲା । ଜବାବରେ ଜିଲ୍ଲାପାଳ କହିଥିଲେ ବଡ଼ଦାଣ୍ଡରେ ଉଭୟ ପାଶ୍ୱ ର୍ସ୍ଥିତ ଘର ବାଲ୍‌କୋନିରେ ରଥଟଣା ଦେଖିବାକୁ ମନା କରାଯିବ । ପୂର୍ବବର୍ଷ ଭଳି ଏହି କଟକଣା ଲାଗୁ ହେବ । ରାଜ୍ୟ ସରକାର ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଜରିଆରେ ରଥଯାତ୍ରା ରଥଟଣାର ସିଧା ପ୍ରସାରଣ କରିବାର ବ୍ୟବସ୍ଥା କରିଛନ୍ତି ।

ଖୁଣ୍ଟିଆ ନିଯୋଗ ମୁଖ୍ୟ ହଜୁରି କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ବାଲ୍‌କୋନି ଉପରେ ବସି ରଥଟଣା ଦେଖିଲେ ଲୋକଙ୍କ ପ୍ରତି ପାତରଅନ୍ତର ହେବ । ଏହି ଆଧାରରେ ନିଯୋଗର ଏହି ପ୍ରସ୍ତାବକୁ ଜିଲ୍ଲାପାଳ ଗ୍ରହଣ କରିଥିଲେ । ଏହା ବ୍ୟତୀତ ନିଯୋଗ ପ୍ରସ୍ତାବ ଦେଇଥିଲା ଖରା ଦାଉରୁ ରକ୍ଷା ପାଇବା ପାଇଁ ରଥ ଉପରେ ଏବଂ ରଥ ଟାଣୁଥିବା ସେବାୟତଙ୍କୁ ଧଳା ଗାମୁଛା ଦିଆଯାଉ । ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯାଉ । ରଥଯାତ୍ରା ପୂର୍ବଦିନ ବଡ଼ଦାଣ୍ଡକୁ ଶୀତଳ ଜଳରେ ଧୋଇ ଥଣ୍ଡା କରାଯାଉ ।

ରଥ ପଛପଟେ ଓଆରଏସ୍‌ ବ୍ୟବସ୍ଥା ହେଉ । ୟୁଜ୍‌ ଆଣ୍ଡ ଥ୍ରୋ ଗ୍ଳାସରେ ପାନୀୟ ବ୍ୟବସ୍ଥା କରାଯାଉ । ବିଭିନ୍ନ ପୋଲିସ ପୋଷ୍ଟରେ ପ୍ରହରା ଦେଉଥିବା କର୍ମଚାରୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ରଥଯାତ୍ରା ଦିନ କରାଯାଉ । ଏସବୁ ପ୍ରସ୍ତାବକୁ ଜିଲ୍ଲାପାଳ ସାଦରେ ଗ୍ରହଣ କରିଥିଲେ ବୋଲି ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଖୁଣ୍ଟିଆ ନିଯୋଗ ବ୍ୟତୀତ ସୁପକାର, ଖୁଣ୍ଟିଆ ନିଯୋଗ, ମେକାପ ନିଯୋଗ, ପ୍ରତିହାରୀ ନିଯୋଗ ଗରାବଡୁ ନିଯୋଗ ଆଦିର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.