ଅଭିଯୋଗ ନେଇ ଥାନାକୁ ଆସିଥିଲେ ମହିଳା, ପୋଲିସ କହିଲା ‘ତୁମେ ସୁନ୍ଦର ଅଛ ଦ୍ବିତୀୟ ବିବାହ କରନିଅ’

Published By : Prameya-News7 Bureau | December 01, 2018 IST

ଲକ୍ଷ୍ନୌ ୦୧|୧୨: ଲକ୍ଷ୍ନୌ ସରୋଜନୀ ନଗରର ଜଣେ ମହିଳା ପୋଲିସ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେ କହିଛନ୍ତି ଯେ, ତାଙ୍କ ସ୍ବାମୀ ତାଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ ନେଇ ଥାନାକୁ ଯାଇଥିଲେ । ମାତ୍ର ପୋଲିସ ତାଙ୍କ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଉପଦେଶ ଦେଲେ ଯେ, ‘ତୁମେ ସୁନ୍ଦର ଅଛ, ଦ୍ବିତୀୟ ବିବାହ କରିନିଅ’ । ମହିଳା ଜଣଙ୍କ ପୋଲିସର ଏଭଳି ଦୁର୍ବ୍ୟବହାରର ଅଭିଯୋଗ ଆଶା ଜ୍ୟୋତି କେନ୍ଦ୍ରରେ କରିଛନ୍ତି । ସୂଚନା ଅନୁସାରେ ସରୋଜନୀ ନଗର ନିବାସୀ କିରଣ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଆଜାଦ କନୌଜିୟା ପ୍ରତି ଦିନ ମାରପିଟ୍ କରୁଥିଲେ । ଗତ ସୋମବାର ଦିନ ତାଙ୍କୁ ତାଙ୍କ ସ୍ବାମୀ ଅସହ୍ୟ ଭାବେ ପିଟିଲେ । ଫଳରେ ସେ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ସରୋଜନୀ ନଗର ଥାନାରେ ଯାଇ ପହଞ୍ଚିଥିଲେ । ଥାନା ଅଧିକାରୀ ମାରପିଟ୍ ନେଇ ମାମଲା ରୁଜୁ କରିଦେଲେ ଏବଂ ମେଡିକାଲ ରିପୋର୍ଟ ପାଇଁ ସିଏଚସିକୁ ପଠାଇଦେଲେ । ଯେତେବେଳେ କିରଣ ପୁର୍ନବାର ମେଡିକାଲ ରିପୋର୍ଟ  ଆଣିବାପାଇଁ ଥାନାରେ ପହଞ୍ଚିଲେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ କହିଥିଲେ ଯଦି ତୁମ ସ୍ବାମୀ ତୁମ ସହ ମାରପିଟ୍ କରୁଛି ଏବଂ ଅନ୍ୟ ମହିଳା ସହ ରହୁଛି ତେବେ ‘ତୁମେ ତ ସୁନ୍ଦର ଅଛ,ଦ୍ବିତୀୟ ବିବାହ କରିନିଅ’ । କିରଣଙ୍କ କହିବା ଅନୁସାରେ ସେ ଏହାର ଆପତ୍ତି କରିବା ସହ ମେଡିକାଲ ରିପୋର୍ଟ ମାଗିଥିଲେ ମାତ୍ର ପୋଲିସ ତାଙ୍କୁ ରିପୋର୍ଟ ଦେବାକୁ ମନାକରିବା ସହ ସେଠାରୁ ତାଙ୍କୁ ବାହାର କରିଦେଇଥିଲା । ଏହାପରେ ଶୁକ୍ରବାର ଦିନ ସେ ଆଶା ଜ୍ୟୋତି କେନ୍ଦ୍ରରେ ଘରୋଇ ହିଂସା ଏବଂ ସରୋଜନୀ ନଗର ପୋଲିସର କାରନାମା ବିରୋଧରେ ଅଭିଯୋଗ ଦାୟର କଲେ । ଆଶା ଜ୍ୟୋତି କେନ୍ଦ୍ର କିରଣଙ୍କର ମେଡିକାଲ ଯାଞ୍ଚ କରାଇଲେ । ରିପୋର୍ଟ ଅନୁସାରେ କିରଣଙ୍କ ଶରୀରରେ ପାଖାପାଖି ୧୩ଟି ସ୍ଥାନରେ ଆଘାତ ଲାଗିଥିଲା । ମେଡିକାଲ ରିପୋର୍ଟ ଏବଂ ପ୍ରାର୍ଥନା ରିପୋର୍ଟ ଆଧାରରେ ଆଶା ଜ୍ୟୋତି କେନ୍ଦ୍ରର ଇନଚାର୍ଜ କିରଣଙ୍କ ସ୍ବାମୀଙ୍କ ବିରୋଧରେ ଘରୋଇ ହିଂସାର କାର୍ଯାନୁଷ୍ଠାନ ନେବା ପାଇଁ କହିଛନ୍ତି । ଏହାସହ ପୋଲିସ ଦ୍ବାରା କରାଯାଇଥିବା ଦୁର୍ବ୍ୟବହାର ପାଇଁ ଏସପିକୁ ଚିଠି ଲେଖିବା ପାଇଁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.