ଦୁର୍ନୀତିରେ ଫସିଲେ ଇଣ୍ଡିଜକୁ ଦୁଇଟି ଟି-୨୦ ବିଶ୍ଵ କପ୍ ଜିତାଇଥିବା ବ୍ୟାଟସମ୍ୟାନ, ୧୦ ଦିନରେ ଜବାବ ମାଗିଲା ଆଇସିସି

Published By : Prameya-News7 Bureau | September 22, 2021 IST

ନୂଆଦିଲ୍ଲୀ ୨୨।୦୯: ଦୁର୍ନୀତି ମାମଲାରେ ଫସିଲେ ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ମାର୍ଲୋନ ସାମୁଏଲ୍ସ। ଆଇସିସିର ଦୁର୍ନୀତି ନିବାରଣ ୟୁନିଟ୍ ତାଙ୍କୁ ଚାରୋଟି ମାମଲାରେ ଦୋଷୀ ପାଇବାରୁ ନୋଟିସ୍ ଜାରି କରିଛି। ସୂଚନା ଅନୁଯାୟୀ ସାମୁଏଲ୍ସ ଟି-୧୦ ଲିଗ୍ ସମୟରେ ଦୁର୍ନୀତି ନିବାରଣ ନିୟମ ଭାଙ୍ଗିଛନ୍ତି। ଆଇସିସି ୧୪ ଦିନ ଭିତରେ ଉତ୍ତର ରଖିବାକୁ ସାମୁଏଲ୍ସଙ୍କୁ ନୋଟିସ୍ ଜାରି କରିଛି। ସାମୁଏଲ୍ସ ଓ୍ଵେଷ୍ଟଇଣ୍ଡିଜକୁ ଦୁଇ ଦୁଇଟି ଟି-୨୦ ବିଶ୍ଵ କପ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୨ ଓ ୨୦୧୬ ଟି-୨୦ ବିଶ୍ଵ କପରେ ଓ୍ଵେଷ୍ଟଇଣ୍ଡିଜ ଚାମ୍ପିଅନ ହୋଇଥିଲା। ଦୁଇଟି ଫାଇନାଲ୍ ମ୍ୟାଚ୍‌ରେ ସାମୁଏଲ୍ସ ଦଳ ପକ୍ଷରୁ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଥିଲେ।

ଆଇସିସି ପକ୍ଷରୁ ଜାରି ବୟାନ ଅନୁଯାୟୀ, ସାମୁଏଲ୍ସ ଅନୁଚ୍ଛେଦ ୨.୪.୨ର ଉଲ୍ଲଂଘନ କରିଛନ୍ତି। ତାଙ୍କୁ ଟି-୧୦ ଲିଗ୍‌ରେ ମିଳିଥିବା ଉପହାର ବିଷୟରେ ସେ ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ଭୁଲ୍ ସୂଚନା ଦେଇଥିଲେ। ଏଥିସହ ତଦନ୍ତରେ ଅଧିକାରୀଙ୍କୁ ସହଯୋଗ କରିନଥିବା ଅଭିଯୋଗ ହୋଇଛି।

ଦୁଇ ଥର ଓ୍ଵେଷ୍ଟଇଣ୍ଡିଜକୁ ଜିତାଇଥିଲେ ଟି-୨୦ ବିଶ୍ଵ କପ୍

ସୂଚନାଯୋଗ୍ୟ, ମାର୍ଲନ ସାମୁଏଲ୍ସ ଓ୍ଵେଷ୍ଟଇଣ୍ଡିଜକୁ ଦୁଇ ଥର ଟି-୨୦ ବିଶ୍ଵ କପ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଦୁଇ ଫାଇନାଲ୍ ମୁକାବିଲାରେ ସେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସାମୁଏଲ୍ସ ୨୦୧୨ ଟି-୨୦ ଫାଇନାଲରେ ୫୬ ବଲ୍‌ରୁ ୭୮ ରନର ଇନିଂସ ଖେଳିଥିଲେ। ଇଣ୍ଡିଜ ୩୬ ରନରେ ଶ୍ରୀଲଙ୍କାକୁ  ହରାଇ ପ୍ରଥମ ଟି-୨୦ ବିଶ୍ଵ କପ୍ ଜିତିଥିଲା। ଏହା ପରେ ୨୦୧୬ ଟି-୨୦ ବିଶ୍ଵ କପ୍ ଫାଇନାଲରେ ସାମୁଏଲ୍ସ ୬୬ ବଲ୍‌ରୁ ୮୫ ରନର ଅପରାଜିତ ଇନିଂସ ଖେଳି ଇଣ୍ଡିଜକୁ ଦ୍ଵିତୀୟ ଟି-୨୦ ଚାମ୍ପିଅନ କରାଇଥିଲେ।

ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଗ୍ରହଣ କରିଥିବା ସାମୁଏଲ୍ସ ୭୧ ଟେଷ୍ଟରେ ୩୯୧୭ ରନ କରିଛନ୍ତି। ଏଥିରେ ସାତ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ୍। ସାମୁଏଲ୍ସ ୨୦୭ ଦିନିକିଆରୁ ୩୨.୯୮ ହାରରେ ୫୬୦୬ ରନ କରିଛନ୍ତି। ଏଥିରେ ୧୦ ଶତକ ସାମିଲ୍। ଏଥିସହ ୬୭ ଟି-୨୦ ଅନ୍ତର୍ଜାତୀୟରୁ ସେ ଦଳ ପକ୍ଷରୁ ୧୬୧୧ ରନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.