ବାପା-ମାଆ ଥାଇ ବି ଅନାଥ: ନିଜ ସ୍ବାର୍ଥ ପାଇଁ ୯ ବର୍ଷର ପୁଅକୁ କ୍ରୀତଦାସ ସଜାଇ ଦେଲେ ଜନ୍ମଦାତା

Published By : Prameya-News7 Bureau | October 13, 2020 IST

ମାଲକାନଗିରି୧୩/୧୦: ନିଜ ସୁଖ, ନିଜ ସ୍ବାର୍ଥ ପାଇଁ ୯ବର୍ଷର ପୁଅକୁ କ୍ରୀତଦାସ ସଜାଇଦେଲେ ଜନ୍ମଦାତା। ବାପାମାଆ ଥାଇ ବି ଅନାଥ ହୋଇଗଲା ନିଷ୍ପାପ ଶିଶୁ । ନର୍କ ଯନ୍ତ୍ରଣାରୁ ନାବାଳକକୁ ଉଦ୍ଧାର କଲେ ଅଙ୍ଗନବାଡ଼ି କର୍ମୀ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ କିଆଙ୍ଗ ପଞ୍ଚାୟତ ତେଲକାବେଚା ଗାଁରେ ସାମ୍ନାକୁ ଆସିଛି ଏକ କରୁଣ କାହାଣୀ।

କୁହାଯାଏ ସନ୍ତାନ ପାଇଁ ତା’ର ବାପା ମାଆ ହେଉଛନ୍ତି ଭଗବାନ । କିନ୍ତୁ ନିଜ ସୁଖ ପାଇଁ ଯେତେବେଳେ ସେଇ ବାପାମାଆ ନିଜର ପୁଅକୁ ଅନ୍ୟକୁ ବିକ୍ରି କରି ଦିଅନ୍ତି, ୯ବର୍ଷର ନାବାଳକକୁ କ୍ରୀତଦାସ ସଜାଇ ଦିଅନ୍ତି ସେଭଳି ବାପାମାଆଙ୍କୁ ଆମେ କ’ଣ କହିବା ?  ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ତେଲକାବେଚା ଗାଁର ଜଣେ ୯ବର୍ଷର ନାବାଳକ ଦୁଇ ଦିନ ଧରି ଅଖିଆ ଅପିଆ ମାଇଲ ମାଇଲ୍‌ ବାଟ ଚାଲିଥିଲା । କୁଆଡ଼େ ଯାଉଛି, କିଏ ତାକୁ ସାହା ହେବ ସେକଥା ଭାବିବାକୁ ତା’ର ଶକ୍ତି ନଥିଲା ।

୩୦କିଲୋମିଟର ଚାଲିବା ପରେ ପାଙ୍ଗାମ ପଞ୍ଚାୟତର ସଲପଦର ଗାଁରେ ପହଞ୍ଚିଥିଲା ପିଲାଟି । ଏତେ ଥକି ଯାଇଥିଲା ଯେ, ପାଖରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ବାରଣ୍ଡାରେ ଶୋଇପଡ଼ିଥିଲା । ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଖରା ପିଲାଟିକୁ ଦେଖି ତାକୁ ଖାଇବାକୁ ଦେଇ ନିଜ ଘରେ ରଖିଥିଲେ । ପିଲାଟି ଟିକେ ସ୍ବାଭାବିକ ଅବସ୍ଥାକୁ ଫେରିବା ପରେ ତା’ ପ୍ରତି ହୋଇଥିବା କରୁଣ କାହାଣୀ ବଖାଣିଥିଲା ।

ବାପାମାଆ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ଅନ୍ୟତ୍ର ବିବାହ କରି ନୂଆ ସଂସାର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ୯ବର୍ଷର ପୁଅ କେହି କାହାରି ପାଖେ ରଖିବାକୁ ଚାହିଁଲେନି । ଶେଷରେ ଗାଁର ଜଣେ ବ୍ୟକ୍ତିକୁ କିଛି ଟଙ୍କାରେ ପୁଅକୁ ବିକ୍ରି କରିଦେଲେ । ଆଉ ନାବାଳକକୁ କିଣିଥିବା ବ୍ୟକ୍ତି ତାକୁ କ୍ରୀତଦାସ ଭଳି ଖଟାଇଥିଲେ । ଖାଇବାକୁ ମାଗିଲେ ମିଳୁଥିଲା ମାଡ଼ । ଗାଈ ଚରାଇବାକୁ ବାଧ୍ୟ କରୁଥିଲେ । ଶେଷରେ ଭୋକ ଉପାସରେ ପିଲାଟି ସେଠାରୁ ପଳାଇ ଆସିଥିଲା।

୫-୬ ଦିନ ହେଲା ପିଲାଟି ଅଙ୍ଗନବାଡ଼ି କର୍ମୀ ଜୟନ୍ତୀଖରାଙ୍କ ପାଖରେ ରହୁଛି । ତାକୁ ନିଜ ପୁଅ ଭଳି ଯତ୍ନ କରୁଛନ୍ତି ବାସନ୍ତୀ । ସାତ ପର ହୋଇ ବି ପିଲାଟିକୁ ମାଆ ଭଳି ଆଦର କରୁଛନ୍ତି । ହେଲେ ଜନ୍ମକଲା ବାପାମାଆ ନିଜ ସୁଖ ପାଇଁ ଏବେ ପର ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.