ଟିଆରପି ଘୋଟାଲା: ରିପବ୍ଲିକ ଟିଭିର ମାଲିକଙ୍କୁ ଓ୍ଵାଣ୍ଟେଡ୍ ଦେଖାଇଲା ମୁମ୍ବାଇ ପୋଲିସ, ଝୁଲିଲା ଗିରଫଦାରୀର ଖଣ୍ଡା

Published By : Prameya-News7 Bureau | October 24, 2020 IST

ମୁମ୍ବାଇ ୨୪।୧୦: ଟିଆରପି ଘୋଟାଲା ମାମଲାରେ କ୍ରାଇମ ଇଣ୍ଟେଲିଜେନ୍ସ ବ୍ୟୁରୋ(ସିଆଇୟୁ) ଏ ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରି ସାରିଛି। କିନ୍ତୁ ଶନିବାର ସିଆଇୟୁ ପ୍ରଥମ ଥର ରିପବ୍ଲିକ ଚ୍ୟାନେଲ୍‌ର ମାଲିକ ଏବଂ ଏହାକୁ ଚଳାଉଥିବା ଲୋକଙ୍କ ବିରୋଧରେ ଓ୍ଵାଣ୍ଟେଟ୍ ଜାରି କରିଛି। ସିଆଇୟୁ ହିନ୍ଦୀ ଚ୍ୟାନେଲ୍‌ ନ୍ୟୁଜ୍ ନେସନ ଓ ମହାମୁଭି ଚ୍ୟାନେଲର ମାଲିକ ଓ ଏହାର ସଞ୍ଚାଳନକାରୀଙ୍କୁ ମଧ୍ୟ ଓ୍ଵାଣ୍ଟେଡ୍ ଦେଖାଇଛି। ଏହି କେସ୍‌ରେ ଫଖ୍‌ତ ମରାଠୀ ଓ ବକ୍ସ ସିନେମାର ମାଲିକ ପୂର୍ବରୁ ଗିରଫ ହୋଇ ସାରିଛନ୍ତି। ଏବେ ପାଞ୍ଚ ଚ୍ୟାନେଲ୍‌ ସିଧାସଳଖ ଅଭିଯୁକ୍ତ ଭାବେ ବିବେଚିତ ହୋଇଛନ୍ତି।

ଏହି ସାରା ଘଟଣାକ୍ରମ ତେବେ ସାର୍ବଜନୀନ ହେଲା ଯେତେବେଳେ ସିଆଇୟୁ ଏହି କେସ୍‌ରେ ଅକ୍ଟୋବର ୨୦ରେ ଗିରଫ ଦୁଇ ଅଭିଯୁକ୍ତ ରାମଜୀ ବର୍ମା ଓ ଦିନେଶ ବିଶ୍ଵକର୍ମାଙ୍କୁ ନୂତନ ଭାବେ ରିମାଣ୍ଡରେ ନେବା ପାଇଁ କିଲା କୋର୍ଟରେ ହାଜର କରିଥିଲା। ଉକ୍ତ ରିମାଣ୍ଡ ଦରଖାସ୍ତରେ  ଆଇସିୟୁ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଓ୍ଵାଣ୍ଟେଡ୍ ଦେଖାଇଛି। ଏଥିରେ ପ୍ରଥମରେ ରହିଛି ଅଭିଷେକ କୋଲଓ୍ଵଣେଙ୍କ ନାମ। ଦ୍ଵିତୀୟରେ ରିପବ୍ଲକିକ ଟିଭି, ତୃତୀୟରେ ନ୍ୟୁଜ୍ ନେସନ ଓ ଚତୁର୍ଥରେ ମହାମୁଭି ଚ୍ୟାନେଲର ମାଲିକ/ଚାଳକ ରହିଛନ୍ତି। ହେଲେ ଏହି ସବୁ ଚ୍ୟାନେଲର ମାଲିକ କିଏ ସିଆଇୟୁ ସ୍ପଷ୍ଟ ଭାବେ କିଛି ଉଲ୍ଲେଖ କରିନାହିଁ।

ଶୀଘ୍ର ହୋଇପାରେ ଗିରଫଦାରୀ

ଓ୍ଵାଣ୍ଟେଡ୍ ଅଭିଯୁକ୍ତଙ୍କ ତାଲିକାରେ ପଞ୍ଚମରେ ରକି ନାମକ ବ୍ୟକ୍ତିଙ୍କ ନାମ ଲେଖା ହୋଇଛି। ରିମାଣ୍ଡ କପିରେ ରିପବ୍ଲିକ ଏବଂ ଅନ୍ୟ ଚ୍ୟାନେଲର ନାଁ ସାମ୍ନାକୁ ଆସିବା ପରେ ଏବେ ଏହାର ମାଲିକ ଏବଂ ଚ୍ୟାନେଲ ଚଳାଉଥିବା ଲୋକଙ୍କୁ ସିଆଇୟୁ କେବେ ବି ସମନ ଜାରି କରିପାରେ। କାରଣ ଏହି କେସ୍‌ରେ ଫଖ୍‌ତ ମରାଠୀ ଓ ବକ୍ସ ସିନେମାର ମାଲିକ ଗିରଫ ହୋଇ ସାରିଛନ୍ତି। ଏଥିପାଇଁ ଏହାର ସମ୍ଭାବନା ଅଧିକ  ରହିଛି ଯେ, ରିପବ୍ଲିକ ଓ ଅନ୍ୟ ଅଭିଯୁକ୍ତ ଚ୍ୟାନେଲର ମାଲିକଙ୍କୁ ମଧ୍ୟ ଗିରଫ କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.