ପୁଅ ଜନ୍ମ କରି ଭୁଲ୍ କରିଛି: ‘ନର୍ସ ଦିଦି ମୋତେ ବିଷ ଦିଅ ନହେଲେ ବିଷ ଇଞ୍ଜେକ୍ସନ ଦେଇ ମାରି ଦିଅ’…
5/06/2020 at 12:22 PM

ସୋର୫/୬: ୧୦ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ସହି ତିନି ତିନିଟି ପୁଅକୁ ଜନ୍ମ ଦେଇ ଖୁସିରେ ଆତ୍ମହରା ‘ମା’ ଆଜି ବାର୍ଦ୍ଧକ୍ଯ ଅବସ୍ଥାରେ ଅସହାୟ ହୋଇପଡିଛନ୍ତି। ସେ କହିଛନ୍ତି ନର୍ସ ଦିଦି ‘ମୋତେ ବିଷ ଦିଅ ନହେଲେ ବିଷ ଇଞ୍ଜେକ୍ସନ ଦେଇ ମାରି ଦିଅ’ ମୁ୍ଁ ପୁଅମାନଙ୍କ ଜାଳାରେ ବଞ୍ଚିବାକୁ ଚାହେଁନି.. ଏମିତି କହି ବାଉଳି ଚାଉଳି ହଉଛନ୍ତି ଜଣେ ୮୫ ବର୍ଷିୟା ବୃଦ୍ଧା ‘ମା’ । ଗତ ୪ ଦିନ ହେବ ବିଷ ପିଇ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୃଦ୍ଧା ଜଣକ । ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ କେଦାରପୁର ପଞ୍ଚାୟତ ଅଧିନ ସାଣ୍ଟପଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସାଣ୍ଟପଡା ଗ୍ରାମର ସ୍ଵର୍ଗତ ବାସୁଦେବ ପାତ୍ରଙ୍କ ସ୍ତ୍ରୀ ରଜନି ପାତ୍ର । ରଜନିଙ୍କର ୩ ଜଣ ପୁଅ, ସେମାନେ ହେଲେ ଅଶ୍ବିନୀ ପାତ୍ର, ସୁଧାକର ପାତ୍ର ଓ ସୁରେଶ ପାତ୍ର। ହେଲେ ବୃଦ୍ଧା ମାଆକୁ ଖାଇବା ପିଇବାକୁ ଦିଅନ୍ତି ନାହିଁ ଏବଂ ଅଧିକାଂଶ ସମୟରେ ମାରପିଟ୍ ମଧ୍ୟ କରନ୍ତି । ଗତ ୪ ଦିନ ତଳେ ତାଙ୍କୁ ପୁଅ ସୁରେଶ ଖାଇବାକୁ ନଦେଇ ମାଡପିଟ୍ କରିଥିବା ବୃଦ୍ଧା ଜଣକ କୋହଭରା କଣ୍ଠରେ କହିଛନ୍ତି । ବୃଦ୍ଧା ଜଣକ ପୁଅ ମାନଙ୍କ ଅତ୍ୟାଚାର ସହିନପାରି ବିଷ ପିଇ ଗୁରୁତର ହୋଇପଡିଥିଲେ ।
ସ୍ଥାନୀୟ ସରପଞ୍ଚ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବୃଦ୍ଧା ଜଣକ ସୋର ଡାକ୍ତରଖାନାରେ ଏବେ ଚିକିତ୍ସିତ ହେଉଥିବା ବେଳେ କେହି ପୁଅ କି ବୋହୂ ବୃଦ୍ଧା ଜଣଙ୍କୁ ଡାକ୍ତରଖାନାକୁ ଦେଖିବାକୁ ଆସୁନାହାନ୍ତି । ୩ଟି ପୁଅକୁ ଜନ୍ମ ଦେଇ ଦିନେ ଖୁସିରେ ଫାଟି ପଡୁଥିବା ‘ମା’ ଆଜି ଅସହାୟ ଅବସ୍ଥାରେ ଡାକ୍ତର ଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ବୃଦ୍ଧା ଜଣକ ଯେଉଁ ପୁଅ ମାନଙ୍କୁ ନିଜର ବାର୍ଦ୍ଧକ୍ଯ ଅବସ୍ଥାରେ ସାହାରେ ହେବେ ବୋଲି ଭାବିଥିଲେ ଜୀବନର ଶେଷ ମୁହୁର୍ତ୍ତରେ ସେମାନେ ବୃଦ୍ଧା ମାକୁ ପର କରି ଦେଇଛନ୍ତି ।