ଦିଲ୍ଲୀର ଗୋଟିଏ ଗଳିରେ ୪୬ କରୋନା ପଜିଟିଭ୍, ୨୩୦୦ ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା
24/04/2020 at 7:32 AM

ନୂଆଦିଲ୍ଲୀ ୨୪।୪: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଦିଲ୍ଲୀରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୭୬ରେ ପହଞ୍ଚିଥିବାବେଳେ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମୋଟ୍ ୮୦୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଗୁରୁବାର ଜାହାଙ୍ଗିପୁରୀ ଅଞ୍ଚଳର ୪୬ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଶାହାଦ୍ରା ଅଞ୍ଚଳରେ ମଧ୍ୟ ୭ ଜଣ କରୋନା ପଜିଟିଭ୍ ଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ଜାହାଙ୍ଗୀରପୁରୀ ଅଞ୍ଚଳରେ ୪୬ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଥିବା ଜଣାପଡିଛି । ଏହି ଅଞ୍ଚଳର ଏଚ୍ ବ୍ଲକ୍ ଗଳିରୁ ଏହି ଲୋକମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅପ୍ରେଲ ୧୪ରେ ଏଚ୍ ବ୍ଲକର ୩ଟି ଗଳିକୁ ସିଲ୍ କରାଯାଇସାରିଛି । ପଜିଟିଭ୍ ଥିବା ୪୬ ଜଣଙ୍କୁ ନରେଲା ସ୍ଥିତ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି । ଜାହାଙ୍ଗୀରପୁରୀରେ ଏହା ହେଉଛି ତୃତୀୟ ବଡ କରୋନା ପଜିଟିଭ୍ ମାମଲା । ଏହାପୂର୍ବରୁ ଜାହାଙ୍ଗୀରପୁରୀର ସି ବ୍ଲକରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଜାହଙ୍ଗୀରପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏଏସଆଇଙ୍କ ପତ୍ନୀଙ୍କ ସମେତ ମୋଟ୍ ୭ ଜଣ ପୋଲିସ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଜାହାଙ୍ଗୀରପୁରୀର ବିଭିନ୍ନ ଅଞ୍ଚଳରୁ ଏପର୍ଯ୍ୟନ୍ତ ୮୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

ସେହିଭଳି ଶାହଦରା ଅଞ୍ଚଳରେ ଗୋଟିଏ ଗଳିରୁ ୭ ଜଣ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏହି ୭ ଜଣଙ୍କ ମଧ୍ୟରେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚରେ କାର୍ଯ୍ୟରତ ଏଏସାଇ ମଧ୍ୟ ଅନ୍ତର୍ଭୁକ୍ତ । ମାର୍ଚ୍ଚ ୧୧ରେ ଜଣେ ୬୭ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ସେହି ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ୍ ଥିଲେ ବୋଲି ଜଣାପଡିଥିଲା । ସଂପୃକ୍ତ ବୃଦ୍ଧ ପରିବାରର ୬ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି ।

ସେହିପରି ଦିଲ୍ଲୀ ଜାମା ମସଜିଦ୍ ଅଞ୍ଚଳରେ ଗୋଟିଏ ପରିବାରର ୧୧ ଜଣ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ସଂପୃକ୍ତ ପରିବାରର ଜଣେ ସଦସ୍ୟ ବିଦେଶରୁ ଫେରିଥିଲେ । ଏହାପରେ ପରିବାର ଅନ୍ୟ ସଦସ୍ୟଙ୍କୁ ସଂକ୍ରମଣ ବ୍ୟାପିଥିଲା । ପରୀକ୍ଷା ପରେ ପରିବାରର ମୋଟ୍ ୧୮ ଜଣଙ୍କ ମଧ୍ୟରୁ ୧୧ ଜଣ କରୋନା ପଜିଟିଭ ଥିବା ଜଣାପଡିଥିଲା ।

ଅନ୍ୟପଟେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ହଟସ୍ପଟ୍ ଜୋନ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ବର୍ତ୍ତମାନ ରାଜଧାନୀରେ ୯୨ଟି ହଟସ୍ପଟ୍ ଚିହ୍ନଟ ହୋଇଛି ।