ପାକିସ୍ତାନ ମିଡ଼ିଆରେ ସହୀଦଙ୍କ ସଂପର୍କୀୟଙ୍କୁ ଅସମ୍ମାନ କରିବା ଘଟଣା; ଦେବାଶିଷ ପୁଣିଥରେ ମାଗିଲେ କ୍ଷମା
21/02/2019 at 7:06 PM

ଭୁବନେଶ୍ଵର ୨୧/୨- ପାକିସ୍ତାନୀ ମିଡ଼ିଆରେ ସହୀଦଙ୍କ ସଂପର୍କୀୟଙ୍କୁ ଅସମ୍ମାନ କରିବା ପ୍ରସଙ୍ଗ ପ୍ରସାରିତ ହେବା ପରେ ପୁଣିଥରେ ଭୁଲ୍ ମାଗିଲେ ଦେବାଶିଷ ସାମନ୍ତରାୟ । ସହୀଦଙ୍କୁ ଅସମ୍ମାନ କରିବା ପ୍ରସଙ୍ଗ ଜୋର ଧରିବା ପରେ ଦେବାଶିଷ ଏହା ପୂର୍ବରୁ ମଧ୍ୟ କ୍ଷମା ମାଗିଥିଲେ ।
ଏହାଥିଲା ପୁଲଓ୍ଵାମାରେ ସହୀଦ ହୋଇଥିବା ମନୋଜ ବେହେରାଙ୍କ ଅନ୍ତିମ ଯାତ୍ରା ସମୟର କଥା । ଲୋକାରଣ୍ୟ ଭିତରେ ମନୋଜଙ୍କ ଶବକୁ ଶୋଭାଯାତ୍ରାରେ ନିଆଯାଉଥିଵା ସମୟରେ ଦେବାଶିଷ ଅସମ୍ମାନ କରିବା କଥା ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବାପରେ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ ।
ଶହୀଦ ଯବାନ ମନୋଜ ବେହେରାଙ୍କ ଶେଷକୃତ୍ୟ , ତାଙ୍କ ଗାଁ ଶାନରେ ସମ୍ପର୍ଣ୍ଣ ହେଉଥିବା ବେଳେ ଏକ ବିବାଦୀୟ ଘଟଣା ଘଟିଥିଲା । ଶହୀଦ ମନୋଜଙ୍କ ସମ୍ପର୍କୀୟ ଦାଦାଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ଧକ୍କା ମାରୁଥିବା ଭଳି ଦୃଶ୍ୟ ଏବେ ସାମ୍ନାକୁ ଆସିଥିଲା । କିନ୍ତୁ ଉକ୍ତ ଦିନ ଜିଲ୍ଲା ପ୍ରଶାସନ ଯାହାବି କିଛି ଦାୟିତ୍ବ ତୁଲାଇବା କଥା ତାହା କରିନଥିଲା, ପ୍ରଥମତଃ ଉକ୍ତ ସ୍ଥାନରେ ବ୍ୟାରିକେଡର ବ୍ୟବସ୍ଥା ହୋଇନଥିଲା, ତେଣୁ ଶତାଧିକ ସଂଖ୍ୟାକ ଲୋକ ସ୍ମଶାନ ଘାଟରେ ଶହୀଦଙ୍କ ପାର୍ଥୀବ ଶରୀରକୁ ଯେମିତି ଘେରି ରହିଥିଲେ , ଏପରିକି ଭିଡକୁ ନିୟନ୍ତ୍ରଣ କରିବାଲାଗି ଉଭୟ ପୁଲିସ ଏବଂ ସି ଆର ପି ଏଫ୍ ଯବାନ ମାନଙ୍କୁ ସାଧାରଣ ଲୋକଙ୍କ ସହ କସରତ କରିବାକୁ ପଡିଥିଲା । ଖୋଦ୍ ଜିଲ୍ଲାପାଳ ମଧ୍ୟ ଭିଡ ନିୟନ୍ତ୍ରଣ ଲାଗି କେତେଜଣ ଲୋକଙ୍କ ସହ ମୁହାଁମୁହିଁ ହୋଇଥିବା ଭଳି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା ।
ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଆରମ୍ଭ ହୋଇଥିଲା ବିତର୍କ । ଦେବାଶିଷଙ୍କୁ ବିଭିନ୍ନ ମହଲରୁ ମଧ୍ୟ ସମାଲୋଚନା କରାଯାଇଥିଲା । ଶେଷରେ ଦେବାଶିଷ ଏହି ଘଟଣା ପାଇଁ ଭୁଲ ମାଗିଥିଲେ ।
ଏହି ଘଟଣାର ଚର୍ଚ୍ଛା କମିଆସୁଥିବା ବେଳେ ପାକିସ୍ତାନୀ ମିଡ଼ିଆରେ ଖବର ପ୍ରସାରଣ ନେଇ ପୁଣି ନିଆଁରେ ଘିଅ ଢ଼ାଳିଲା ପରି ଆରମ୍ଭ ହୋଇଯାଇଛି ତୁମ୍ବିତୋଫାନ । ଏହି ଘଟଣାକୁ ଆଗକୁ ବଢ଼ିଵା ପୂର୍ବରୁ ପୁଣିଥରେ ଦେବାଶିଷ ମାଗି ନେଇଛନ୍ତି କ୍ଷମା ।