ବାଲାକୋଟ ଏୟାର ଷ୍ଟ୍ରାଇକର ନାମ ଥିଲା ‘ଅପରେସନ ବନ୍ଦର’, ଜାଣନ୍ତୁ କ’ଣ ପାଇଁ ଏପରି ନାମକରଣ କରିଥିଲା ବାୟୁସେନା
27/06/2019 at 4:36 PM

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣର ଜବାବ ଦେବାକୁ ଭାରତ ଫେବୃଆରୀ ୨୬ ତାରିଖ ଦିନ ପାକିସ୍ତାନରେ ଯେଉଁ ବିମାନ ଆକ୍ରମଣ କରିଥିଲା ତାର ନାମ ରଖାଯାଇଥିଲା ‘ଅପରେସନ ବନ୍ଦର’। ତେବେ ଏୟାର ଷ୍ଟ୍ରାଇକର ଦୀର୍ଘ ଦିନ ପରେ ବି ବାୟୁସେନା ମିସନ ସମ୍ପର୍କରେ ମୁହଁ ଖୋଲିନଥିଲେ ହେଁ ଏବେ ଏହି ଅପରେସନର ନାମ ଜଣାପଡିଛି। ତେବେ ସୁରକ୍ଷା ଦୃଷ୍ଟିରୁ ବାୟୁସେନା ଅଧିକାରୀମାନେ ଏଭଳି ନାମକରଣର ବ୍ୟାକ୍ଷା କରିନଥିଲେ ହେଁ ଏ ନେଇ ଗଣମାଧ୍ୟମର ପ୍ରଶ୍ନରେ ସେମାନେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ସୁରକ୍ଷା ଓ ଗୋପନୀୟତା ଦୃଷ୍ଟିରୁ ସେନା କାର୍ଯ୍ୟାନୁଷ୍ଠାନଗୁଡିକୁ ବିଭିନ୍ନ ନାମରେ ନାମିତ କରାଯାଇଥାଏ । ଯାହାକୁ କୋଡ ନେମ ବି କୁହାଯାଇପାରେ । ସେହି ଅନୁସାରେ ପାକିସ୍ତାନରେ ଥିବା ଆତଙ୍କବାଦ ସଙ୍ଗଠନର ସଫେଇ ପାଇଁ ଯେଉଁ ଅପରେସନ ହାତକୁ ନିଆଯାଇଥିଲା ତାକୁ ବନ୍ଦର ନାମରେ ନାମିତ କରାଯାଇଥିଲା। ଏମିତିରେ ଭାରତର ଯୁଦ୍ଧ ସଂସ୍କୃତି ସହ ମାଙ୍କଡଙ୍କ ସମ୍ପର୍କ ବେଶ ପୁରୁଣା। ଭାରତୀୟ ମହାକାବ୍ୟ ରାମାୟଣକୁ ଏହାର ଉଦାହରଣ ରୂପେ ନିଆଯାଇପାରେ। ଯେଉଁଥିରେ ଶ୍ରୀରାମଙ୍କ ଲେଫ୍ଟନାଣ୍ଟ ହନୁମାନ ଚୁପାଚାପ ଲଙ୍କାରେ ପ୍ରବେଶ କରି ରାବଣର ସମ୍ପୂର୍ଣ୍ଣ ରାଜଧାନୀକୁ ଧ୍ୱଂସ୍ତ କରି ଚାଲିଆସିଥିଲେ। ପାକିସ୍ତାନ କ୍ଷେତ୍ରରେ ମଧ୍ୟ ବାୟୁସେନା ସେହି ପୌରାଣିକ ଆଖ୍ୟାନର ପୁନରାବୃତ୍ତି କରିଥିବା କହିଛନ୍ତି ଅଧିକାରୀମାନେ।

ସୂଚନା ଯୋଗ୍ୟଯେ ୨୬ ଫେବୃଆରୀ ମଧ୍ୟରାତ୍ର ପରେ ଭାରତୀୟ ବାୟୁସେନାର ୧୨ଟି ମିରେଜ-୨୦୦୦ ଓ ସୁଖୋଇ-୩୦ ଯୁଦ୍ଧ ବିମାନ ବିଭିନ୍ନ ଠିକଣାରୁ ଉଡାଣ କରି ପାକିସ୍ତାନ ଏରୋ ସ୍ପେସ୍ ପାରି ହେବା ସହ ବିମାନ ଆକ୍ରମଣ କରିଥିଲେ। ଏହି ଯୁଦ୍ଧବିମାନ ସବୁ ଖୈବର ପୁକ୍ତନଖ୍ୱା ପ୍ରାନ୍ତର ବାଲାକୋଟ ସହରରେ ଥିବା ଜୈସ-ଏ-ମହମ୍ମଦ ଠିକଣା ଉପରକୁ କ୍ଷପଣାସ୍ତ୍ର ଆକ୍ରମଣ କରି ପୁଣି ସୁରକ୍ଷିତ ନିଜନିଜ ବାୟୁସେନା ଠିକଣାକୁ ଫେରିଆସିପାରିଥିଲେ। ରାତି ପ୍ରାୟ ୩ଟା ୩୦ ମିନିଟ୍ ରେ ହୋଇଥିବା ଏହି ବିମାନ ଆକ୍ରମଣରେ ୫ଟି ସ୍ପାଇସ୍ ବୋମା ମାଡ କରାଯାଇଥିବା ବେଳେ ଆକ୍ରମଣରୁ ୮୦ ପ୍ରତିଶତ ସଫଳତା ମିଳିଥିବା ଅନୁମାନ କରାଯାଉଛି। ଯାହାକୁ ସ୍ୱଦେଶୀ ଏୟାରବର୍ଣ୍ଣ ୟର୍ଲି ୱାର୍ଣ୍ଣିଂ କଣ୍ଟ୍ରୋଲ ସିଷ୍ଟମ ‘ନେତ୍ରା’ ପୂର୍ଣ୍ଣ ସହଯୋଗ କରିଥିବା ଅଧିକାରୀଙ୍କ ସୂଚନାରୁ ଜଣାପଡିଛି ।