IPL 2020: ଗର୍ଜିଲେ ରୋହିତ ଶର୍ମା, କୋଲକାତା ନାଇଟ୍ ରାଇଡର୍ସକୁ ୧୯୬ ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya-News7 Bureau | September 23, 2020 IST

ଶାରଜା ୨୩।୦୯: ନିଜର ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟସମ୍ୟାନ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ଦ୍ଵିତୀୟ ମ୍ୟାଚ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ୮୦ ଓ ସୂର୍ଯ୍ୟକୁମାର ଯାଦବଙ୍କ ୪୭ ରନ ବଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ଵକେଟ୍ ହରାଇ ୧୯୫ ରନର ବିଶାଳ ସ୍କୋର କରିଛି। ମ୍ୟାଚ୍‌ ଜିତିବା ପାଇଁ କୋଲକାତା ନାଇଟ୍ ରାଇଡର୍ସ ସମ୍ମୁଖରେ ୧୯୬ ରନର ବିଜୟ ଲକ୍ଷ୍ୟ ରହିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୮ ରନ ସ୍କୋରରେ କ୍ଵିଣ୍ଟନ ଡିକକ୍‌(୧)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ଗତିରେ ବ୍ୟାଟିଂ କରି ଓଭର ପିଛା ୧୦ ହାରରେ ରନ ସଂଗ୍ରହ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୯୦ ରନ ଯୋଡି ଦଳର  ବିଶାଳ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ସୂର୍ଯ୍ୟ କୁମାର ଯାଦବ ୨୮ ବଲରୁ ୬ ଚୌକା ଓ ୧ ଛକା ଜରିଆରେ ୪୭ ରନ କରି ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ।

ରୋହିତ ଶର୍ମା ଅଧିନାୟକତ୍ଵ ଇନିଂସ ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ। ସୌରଭ ତିଓ୍ଵାରୀ ୧୩  ବଲରୁ ଦ୍ରୁତ ବ୍ୟାଟିଂ କରି ୨୧ ରନ କରି ତୃତୀୟ ବ୍ୟାଟସମ୍ୟାନ ଭାବେ  ଆଉଟ୍ ହୋଇଥିଲେ।  ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜ୍‌କୁ ଆସି ନିଜ ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରିଥିଲେ। ଅଧିନାୟକ ରୋହିତ ଶର୍ମା ୫୪ ବଲରୁ ୩ ଚୌକା ଓ ୬ ଛକା ସହାୟତାରେ ୮୦ରନର ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି। ଶିବମ ମାଭିଙ୍କୁ ବଡ ସଟ୍ ଖେଳିବାକୁ ଯାଇ ରୋହିତ ପାଟ୍ କମିନ୍ସଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ। ପାଣ୍ଡ୍ୟା ୧୩ ବଲରୁ ୨ ଚୌକା ଓ ୧ ଛକା ଜରିଆରେ ୧୮ ରନ କରିଥିଲେ। ଶେଷ ଆଡକୁ କିରଣ ପୋଲାର୍ଡ ୭ ବଲରୁ ୧୩ ରନ ଏବଂ କୃଣାଲ ପାଣ୍ଡ୍ୟା ୧ ରନ କରି ଅପରାଜିତ ଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୫ କରିଛି।

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଶିବମ ମାଭି ଦୁଇଟି ଓ୍ଵିକେଟ୍ ନେଇଥିବା ବେଳେ ସୁନିଲ ନାରିନେ ଓ ଆନ୍ଦ୍ରେ ରସେଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.