ଜଣେ ମାଆ କ୍ଷୀରରେ ବିଷ ମିଶାଇ ପିଇବା ପାଇଁ ଦେଲା ନିଜ ପିଲାଙ୍କୁ, ପୁଣି ସ୍ବାମୀଙ୍କ ସହ ନିଜେ ବିଷ ପିଇ ଶୋଇ ପଡ଼ିଲା, ଜାଣନ୍ତୁ କାହିଁକି

Published By : Prameya-News7 Bureau | October 25, 2019 IST

ବେହରୋଡ଼୨୫|୧୦: ବେହରୋଡ୍‌ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାଆ କ୍ଷୀରରେ ବିଷ ଦେଇ ନିଜ ପିଲାଙ୍କୁ ହତ୍ୟା କରିଛି। ଏତିକି ନୁହେଁ ସ୍ବାମୀଙ୍କ ସହ ନିଜେ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଛି। ବିଷରେ ପୂରା ପରିବାରଙ୍କ ଜୀବନ ଚାଲି ଯାଇଛି। ଏହି ଘଟଣା ଘଟିବା ପରେ ଦୁଇଜଣ ପିଲା ବାନ୍ତି କରିବା ଆରମ୍ଭ କରି ଦେଇଥିଲେ। ଏମିତି ବାରମ୍ବାର ବାନ୍ତି କରିବା ପରେ ସ୍ଥାନୀୟ ଲୋକ ୨ ଜଣ ପିଲାଙ୍କୁ ହସ୍ପିଟାଲ ନେବା ପାଇଁ ବାହାରିଥିଲେ । ହେଲେ ସେମାନଙ୍କ ମାଆ ମୁକେଶ ଦେବୀ ସ୍ଥାନୀୟ ଲୋକଙ୍କୁ ଅଟକାଇ ଥିଲେ। ସେ ମନା କରିବା ସତ୍ବେ ସ୍ଥାନୀୟ ଲୋକ ଦୁଇଜଣ ପିଲାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ।  ହସ୍ପିଟାଲ ନେବା ରାସ୍ତାରେ ଦୁଇ କୋମଳମତି ପିଲାଙ୍କ ମୃତ୍ୟୁ ହୋଇଥିଲା।

ସଂପର୍କୀୟଙ୍କ କହିବା ଅନୁସାରେ ମୃତକ କୃଷ୍ଣ ଯାଦବ ଓ ତାଙ୍କ ପତ୍ନୀ ମୁକେଶ ଦେବୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହିଥିଲା। ପ୍ରତିଦିନ ମୁକେଶ ଦେବୀଙ୍କ ସ୍ବାମୀ ମଦ ପିଇ ଘରକୁ ଫେରିଥିଲେ। ମଦ ପାଇଁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ସ୍ବାମୀ ଓ ସ୍ତ୍ରୀଙ୍କ ଏପରି କଳହ ଦେଖି ଜଣେ ସ୍ଥାନୀୟ ବ୍ୟକ୍ତି ମୁକେଶ ଦେବୀଙ୍କ ପୁଅ ଦିପାଂଶୁଙ୍କୁ ନେଇ ତାଙ୍କ ଦାଦାଙ୍କ ପାଖରେ ଛାଡି ଦେଇଥିଲେ। ବହୁ ବାଦ ବିବାଦ ପରେ ତାଙ୍କ ଦାଦା ଦିପାଂଶୁଙ୍କୁ ମୁକେଶ ଦେବୀଙ୍କ ପାଖରେ ଛାଡ଼ି ଦେଇ ଯାଇଥିଲେ।

ଏପଟେ ମୁକେଶ ଦେବୀଙ୍କ ସ୍ବାମୀ କୃଷ୍ଣ ଯାଦବ ମଦ ପିଇ ଘର ସବୁ ଆସବାପତ୍ର ବିକ୍ରି କରି ସାରିଥିଲେ। ଏପରି ଅବସ୍ଥାରେ ଦୁଇଜଣ ପିଲା ଓ ସ୍ବାମୀ-ସ୍ତ୍ରୀ ଚାରିପ୍ରାଣୀ କୁଟୁମ୍ବ ଚଳିବା ବହୁତ କଷ୍ଟ ହୋଇ ପଡିଥିଲା। ତେଣୁ ପରିବାର ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ସ୍ବାମୀ ଓ ସ୍ତ୍ରୀ ନିଷ୍ପତ୍ତି ନେଇଥିଲେ।

 ପୂର୍ବ ଯୋଜନା ଅନୁସାରେ ୧୨ ବର୍ଷର  ପୁଅ ଦିପାଂଶୁ ଓ ୮ ବର୍ଷର ଝିଅ ମୋନିକାଙ୍କ ଖାଇବା କ୍ଷୀରରେ ମୁକେଶ ଦେବୀ ମିଶାଇ ଦେଇଥିଲେ। ପିଲାମାନେ ଖାଇବା ସାରିବା ପରେ ସ୍ବାମୀ ଓ ସ୍ତ୍ରୀ ବିଷ ଖାଇ  ଶୋଇ ପଡିଥିଲେ। କିଛି ସମୟ ପରେ ତାଙ୍କ ପୁଅ-ଝିଅ ବାନ୍ତି କରିବା  ଦେଖି ସ୍ଥାନୀୟ ଲୋକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ହସ୍ପିଟାଲ ଯିବା ବାଟରେ ଦୁଇ ଜଣ ପିଲାଙ୍କ ଜୀବନ ଚାଲି ଗଲା। ଏପଟେ ଘରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.