ଟିକା ନେବାକୁ ନାହିଁ ଆଗ୍ରହ: ରୁଷରେ ପୁଣି କରୋନା ସଂକ୍ରମଣ ଉପରମୁହାଁ, ଗୋଟିଏ ଦିନରେ ସର୍ବାଧିକ ୧୦୦୦ ମୃତ

Published By : Prameya-News7 Bureau | October 16, 2021 IST

ମସ୍କୋ ୧୬/୧୦: ଶନିବାର ରୁଷରେ ୧୦୦୨ ଜଣଙ୍କ ଜୀବନ ନେଇଛି କରୋନା। କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ସେତିକି ନୁହେଁ ରୁଷରେ ଲଗାତାର କରୋନା ସଂକ୍ରିମତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୩୩,୨୦୮ ମାମଲା ସାମ୍ନାକୁ ଆସିଛି। ଦେଶରେ ଏବେ ସୁଦ୍ଧା ୨୨୨,୩୧୫ ଲୋକଙ୍କ ଜୀବନ ନେଇଛି କରୋନା ଭୂତାଣୁ।

ରୁଷରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବା ପଛର ବଡ଼ କାରଣ ପ୍ରତିବନ୍ଧରେ କୋହଳ ବୋଲି କୁହାଯାଉଛି। ଦେଶରେ କେବଳ ୩୧ ପ୍ରତିଶତ ଲୋକଙ୍କ ଟିକାକରଣ ହୋଇଥିବା ବେଳେ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଛି। ଟିକାକରଣ ପ୍ରତି ଲୋକଙ୍କ ବିମୁଖତା ଏବଂ କଟକଣାରେ କୋହଳ ହିଁ ଦ୍ରୁତ ସଂକ୍ରମଣର କାରଣ ବୋଲି କ୍ରେମାଲିନ୍‌ ପକ୍ଷରୁ କୁହାଯାଇଛି। ଯଦିଓ ପୁଣି ଥରେ ସଂକ୍ରମଣ ବେଗ ବୃଦ୍ଧିପାଇଛି କିନ୍ତୁ ସରକାରଙ୍କୁ ଅର୍ଥବ୍ୟବସ୍ଥା ପ୍ରତି କାର୍ଯ୍ୟ କରିବା ଜାରି ରଖିବାକୁ ହେବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

ସେପଟେ ସଂକ୍ରମିତଙ୍କ ପାଇଁ ମେଡିକାଲ ଫୁଲ ପ୍ରସ୍ତୁତ ଥିବା ବେଳେ ସଂକ୍ରମଣ ବୃଦ୍ଧି ପାଇଁ ସରକାରଙ୍କୁ ଲୋକେ ଦାୟୀ କରିଛନ୍ତି। ଦୁନିଆର ପ୍ରଥମ କରୋନା ଟିକା ପ୍ରସ୍ତୁତକାରୀ ଦେଶ ରୁଷରେ ଲୋକେ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହା ବ୍ୟତୀତ ଦେଶରେ ଅନେକ ଟିକା ମହଜୁଦ ମଧ୍ୟ ଅଛି। ମିଳିଥିବା ତଥ୍ୟ ଅନୁସାରେ ଅଧାରୁ ଅଧିକ ରୁଷୀୟ ନାଗରିକ ଟିକା ନେବାକୁ ଚାହୁଁନାହାନ୍ତି।   ଏବେ ସୁଦ୍ଧା ୨୨୨,୩୧୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟାକୁ ସରକାର କମ କରି ଦେଖାଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.