ଜୁନ ୯ ସୁଦ୍ଧା ଓଡିଶାରେ ପ୍ରବେଶ କରିବ ମୌସୁମି, ୧୧ରେ ସମଗ୍ର ରାଜ୍ୟରେ ବର୍ଷା

Published By : Prameya-News7 Bureau | June 05, 2021 IST

ଭୁବନେଶ୍ଵର ୦୫।୦୬: ଆସନ୍ତା ୯ ତାରିଖ ସୁଦ୍ଧା ରାଜ୍ୟରେ ପ୍ରବେଶ କରିବ ମୌସୁମି। ଦକ୍ଷିଣ ଓଡ଼ିଶାରେ ପ୍ରଥମେ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ । ଏହା ପ୍ରଭାବରେ ଦକ୍ଷିଣ ଓଡିଶାରେ ୯ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଚଳିତ ବର୍ଷ ଶୀଘ୍ର ରାଜ୍ୟରେ ପ୍ରବେଶ କରିବା ମୌସୁମି । ଆସନ୍ତା ୯ ତାରିଖରେ ଦକ୍ଷିଣ ଓଡିଶାରେ ହେବ ବର୍ଷା। ମୌସୁମି ପ୍ରଭାବରେ ପ୍ରଥମେ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ ଏବଂ ୧୦ ତାରିଖ ଠାରୁ ବର୍ଷାର ମାତ୍ରା ବୃଦ୍ଧି ପାଇବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞା। ୧୧ ତାରିଖରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ।

ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ କାରଣରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ  ସକ୍ରିୟ ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ। ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୧୦-୧୪ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ୨୪ ଘଣ୍ଟାରେ ଭିଜିବ ଦକ୍ଷିଣ ଆଭ୍ୟନ୍ତରୀଣ  ଓ  ଉପକୂଳ ଓଡିଶା ।

ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ମୟୁରଭଞ୍ଜ, ବାଲେଶ୍ଵର, କେନ୍ଦୁଝର ଜିଲ୍ଲାରେ  ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ସମ୍ଭାବନା । ଆସନ୍ତା ୩ ଦିନ ଯାଏଁ ବର୍ଷା ଜାରି ରହିବ  । ୮ ରୁ ଦକ୍ଷିଣ ଓଡିଶା ଏବଂ ୯ ରେ ଉତ୍ତର ଉପକୁଳରେ ଅଧିକ ବର୍ଷା ସମ୍ଭାବନା । ତେବେ ୯ରୁ  ବର୍ଷାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ଚଳିତ ବର୍ଷ ମୌସୁମି ପୂର୍ବରୁ ଆସୁଥିବାରୁ ଏବର୍ଷ ବର୍ଷା ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ଓ ବିଶେଷଜ୍ଞ ପୂର୍ବାନୁମାନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.