Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ସମୟରେ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇପାରେ ସଂସଦର ମୌସୁମି ଅଧିବେଶନ, ପ୍ରଥମ ଥର ଦେଖିବାକୁ ମିଳିବ ଅନେକ ପରିବର୍ତ୍ତନ

25/08/2020 at 7:18 PM

ନୂଆଦିଲ୍ଲୀ ୨୫।୦୮: କରୋନା ଭାଇରସ୍ ମହାସଙ୍କଟ ମଧ୍ୟରେ ସଂସଦର ମୌସୁମି ଅଧିବେଶନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ସଂସଦୀୟ ମାମଲାର କ୍ୟାବିନେଟ୍ କମିଟି ସେପ୍ଟେମ୍ଵର ୧୪ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସଂସଦର ଅଧିବେଶନ ଆୟୋଜନ କରିବାକୁ ସୁପାରିଶ କରିଛି। ସୂତ୍ର ଅନୁଯାୟୀ ମୌସୁମି ଅଧିବେଶନରେ ୧୮ ଦିନ କାର୍ଯ୍ୟଦିବସ ରହିବ।

ମୌସୁମି ଅଧିବେଶନ ନିମନ୍ତେ ଉଭୟ ଗୃହ ପାଇଁ ପ୍ରସ୍ତୁତି ଜାରି ରହିଛି। ମାର୍ଚ୍ଚରେ କରୋନା ସଂକ୍ରମଣ ପରଠୁ ପ୍ରଥମ ଥର ସଂସଦର ଅଧିବେଶନ ହେବାକୁ ଯାଉଛି। ଲୋକସଭା ଓ ରାଜ୍ୟସଭାରେ ସାଂସଦଙ୍କ ବସିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ବର୍ତ୍ତମାନର ଆସନ ସହିତ ଗ୍ୟାଲେରୀରେ ମଧ୍ୟ ସାଂସଦଙ୍କ ବସିବା ପାଇଁ ବନ୍ଦୋବସ୍ତ କରାଯିବ। କରୋନା  ଭାଇରସ୍ ମହାମାରୀ କାରଣରୁ ଏଥର ଅଧିବେଶନରେ ଅନେକ ନୂତନ ଘଟଣା ଦେଖିବାକୁ ମିଳିବ। ପ୍ରଥମ ଥର ଲୋକସଭା ଓ ରାଜ୍ୟସଭାର ଗୃହ କାର୍ଯ୍ୟ ଅଲଗା ଅଲଗା ସମୟରେ ହେବ। ସାମାଜିକ ଦୂରତା ସୁନିଶ୍ଚିତ କରିବା ପାଇଁ ଦୁଇ ଗୃହର ଚାମ୍ବର ଓ ଗ୍ୟାଲେରୀର ମଧ୍ୟ ଉପଯୋଗ କରାଯିବ।

୧୯୫୨ ପରେ ଏମିତି ପ୍ରଥମ ଥର ହେବାକୁ ଯାଉଛି, ଯେଉଁଠି ରାଜ୍ୟସଭାର ୬୦ ସଦସ୍ୟ ଚାମ୍ବରରେ  ବସିବେ, ୫୧ ଜଣ ଗ୍ୟାଲେରୀରେ ଓ ବାକି ୧୩୨ ସଦସ୍ୟ ଲୋକସଭା ଚାମ୍ବରରେ ବସିବେ। ଏହି କାରଣରୁ ଦୁଇ ଗୃହର କାର୍ଯ୍ୟ ଅଲଗା ଅଲଗା ସମୟରେ ଚଳାଇବାକୁ ନିଷ୍ପତ୍ତି ହୋଇଛି।

ଲୋକସଭା ସଚିବାଳୟରେ ମଧ୍ୟ କିଛି ଏହି ପ୍ରକାରର ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଛି। ପ୍ରଥମ ଥର ଗୃହରେ ବଡ ଡିସପ୍ଲେ ସ୍କ୍ରିନ ଲଗାଯିବ। ଗ୍ୟାଲେରୀରେ ମଧ୍ୟ ସାଂସଦ ଗୃହ କାର୍ଯ୍ୟରେ ଭାଗ ନେଇ ପାରିବେ। ଗ୍ୟାଲେରୀ-ଚାମ୍ବରରେ ସାନିଟାଇଜେସନ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟସଭା ସଭାପତି ଏମ ଭେଙ୍କେୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଜୁଲାଇ ୧୭ରେ  ହୋଇଥିବା ବୈଠକରେ ସଂସଦର ଅଧିବେଶନ ପାଇଁ ଆଲୋଚନା  କରିଥିଲେ।

   Related Posts