ଦମ୍ପତିଙ୍କଠାରୁ ଚେନ୍‌ ଲୁଟି ନେଲେ ଦୁର୍ବୃତ୍ତ: ଗଲା ବେଳେ ବାଇକ୍‌ରୁ ପଡି ହେଲେ ଖଣ୍ଡିଆ-ଖାବରା

Published By : Prameya-News7 Bureau | June 18, 2020 IST

ବାଲିପାଟଣା୧୮/୬:  ରାଜଧାନୀ ଉପକଣ୍ଠ ଧଉଳିରେ ଦମ୍ପତିଙ୍କ ଠାରୁ ଚେନ୍ ଲୁଟିଲେ ଦୁଇ ଲୁଟେରା ।  ଲୁଟି ନେବା ପରେ ଦ୍ରୁତ ଗତିରେ ଲୁଟେରା ଫେରାର ହୋଇଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟି ଦୁଇ ଲୁଟେରା ଗୁରୁତର ହୋଇଛନ୍ତି।  ଲୁଟେରାଙ୍କ ନିକଟରୁ ମାରଣାସ୍ତ୍ରକୁ ଜବତ କରିଛି ପୋଲିସ୍ । ଧଉଳି ଥାନା ପୋଲିସ୍ ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟା ସମୟରେ ସ୍ୱାମୀ-ସ୍ତ୍ରୀ ଧଉଳି ରାସ୍ତାରେ ଇଭିନିଙ୍ଗ ୱାକ୍ କରି ଫେରୁଥିଲେ । ଏହି ସମୟରେ ଦୁଇଜଣ ଲୁଟେରା ଏକ କଳା ପଲସର୍ ବାଇକ୍‌ରେ ଆସି ଉଭୟଙ୍କୁ ଅଟକାଇଥିଲେ।

ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେଇ ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଇ ଜାତୀୟ ରାଜପଥ ଅଭିମୁଖେ ଦ୍ରୁତ ଗତିରେ ଆସିଥିଲେ । ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦୁଇ ଲୁଟେରା ସେଠାରେ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଧଉଳି ଥାନା ପୋଲିସ୍‌କୁ ଖବର ଦେଇଥିଲେ।

ପୋଲିସ୍ ଦୁଇଜଣ ଗୁରୁତର ହୋଇଥିବା ଲୁଟେରାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଲକ୍‌ଡାଉନ୍‌ ରେ ଚେନ୍ ଲୁଟେରାଙ୍କ ଉତ୍ପାତ ବଢ଼ି ଯାଇଛି। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳ ଏବଂ ବାଲିଅନ୍ତା ଥାନା ଅଞ୍ଚଳରୁ ବାରମ୍ବାର ସୁନା ଚେନ୍‌ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ସ୍ପିଡ ବାଇକ୍‌ରେ ଆସି ନିମିଷକରେ ଚେନ୍ ଝାମ୍ପି ନେଉଛନ୍ତି ଲୁଟେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.