ଗଡ଼ ଗୋବିନ୍ଦପୁରରେ ଚାଞ୍ଚଲ୍ୟ, ମହିଳାଙ୍କୁ ହତ୍ୟା କରି ଦୁର୍ବୃତ୍ତ ଲୁଟି ନେଲେ ସୁନା ଅଳଙ୍କାର

Published By : Prameya-News7 Bureau | December 14, 2020 IST

ଦିଗପହଣ୍ଡି,୧୪|୧୨: ଦିଗପହଣ୍ଡି ବ୍ଳକ ଗଡ଼ଗୋବିନ୍ଦପୁର ଗ୍ରାମର ଚାଷୀ କେଦାର ବେହେରାଙ୍କ ପତ୍ନୀ ସୁଜାତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ସେ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି।  କୌଣସି ଦୁର୍ବୃତ୍ତ ସୁଜାତାଙ୍କୁ ବାରମ୍ବାର ମାଡ଼ ମାରି ବିବଶ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ଅନୁମାନ କରିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ସୁଜାତା ଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି। ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କାରେ ପୋଲିସ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଛନ୍ତି।

ସୂଚନା ଅନୁଯାୟୀ, ପରିବାର ଲୋକେ ଚାଷଜମିକୁ ଧାନ କାଟିବାକୁ ଯାଇଥିବା ବେଳେ ସୁଜାତା ଘରେ ଏକୁଟିଆ ଥିଲେ। ସେ ଘରେ ଏକୁଟିଆ ଥିବା ସୁଯୋଗ ନେଇ ପୂର୍ବ ଯୋଜନା ଅନୁସାରେ କୌଣସି ଦୁର୍ବୃତ୍ତ ଘରେ ପଶି ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଜଣାପଡିଛି। ପରିବାର ଲୋକେ କାମ ସାରି ଜମିରୁ ଫେରିବା ପରେ ସୁଜାତା ଘର ଭିତରେ ନିସ୍ତେଜ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ତାଙ୍କ ମୁହଁକୁ ମାଡ଼ ମାରି କ୍ଷତାକ୍ତ କରାଯାଇଥିବା ବେଳେ ୨ ହାତର ଏକାଧିକ ସ୍ଥାନରେ  କାମୁଡ଼ା ଚିହ୍ନ ରହିଥିଲା।  ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚିକିଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ସୁଜାତାଙ୍କୁ ମୃତ ଘୋଷଣା କରିଥିଲେ।

ଖବରପାଇ ବ୍ରହ୍ମପୁର ଅତିରିକ୍ତ ଏସ. ପି ପ୍ରଶାନ୍ତ କୁମାର ମିଶ୍ର,  ଚିକିଟି ଏସ ଡି ପି ଓ ସୁରେନ୍ଦ୍ରନାଥ ମୁର୍ମୁ, କେ. ନୂଆଗାଁ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ ପୋଲିସ ସନ୍ଧାନି କୁକୁର ସହ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଛନ୍ତି। ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରୁଛନ୍ତି। ଶରୀରର ଏକାଧିକ ସ୍ଥାନରେ ମାଡ଼ ଚିହ୍ନ ଥିବାରୁ ତାଙ୍କ ସହ ଦୁର୍ବୃତ୍ତଙ୍କ ଦୀର୍ଘ ସମୟ ଧସ୍ତା ଧସ୍ତି ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ମୃତଦେହ ଜବତ କରି ମକଦ୍ଦମା ରୁଜୁ କରିଛନ୍ତି। ମଙ୍ଗଳବାର ମୃତଦେହ କୁ   ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଯିବ ବୋଲି ଆଇ ଆଇ ସି କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.