କରୋନା ଯୋଗୁଁ ଦେଶର ୭୫ ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ
22/03/2020 at 6:21 PM

ଲକ୍ଷ୍ନୌ ୨୨/୦୩ : କରୋନା ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶର ୭୫ ଜିଲ୍ଲାକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି | ଏଥିରେ ଉତ୍ତର ପ୍ରଦେଶର ୪ଟି ଜିଲ୍ଲା ସାମିଲ ରହିଛି | ଯେଉଁସବୁ ଜିଲ୍ଲାକୁ ଲକଡାଉନ କରାଯିବ ସେହି ଜିଲ୍ଲାକୁ ବାହାର ଲୋକଙ୍କ ଯିବା ଆସିବାରେ କଟକଣା ଲାଗିବ | କିନ୍ତୁ ବନ୍ଦ ଜିଲ୍ଲାଗୁଡିକରେ ଜରୁରୀକାଳୀନ ସେବା ଚାଲୁ ରହିବ |
ଯେଉଁସବୁ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ଅଧିକ ସେମାନଙ୍କୁ ଏହି କାଟାଗୋରି ଅନ୍ତର୍ଭୁକ୍ତ କରାଯାଇଛି | ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ, ବିହାର, କେରଳ, କର୍ଣ୍ଣାଟକ ମଣିପୁର, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଲକଡାଉନ ଘୋଷଣା କରାଯିବ |
ଲକଡାଉନ ସମୟରେ ଦିକଂ, ବଜାର, ସପିଙ୍ଗ ମଲ, କାରଖାନା, ସାର୍ବଜନିକ ସ୍ଥଳ ତଥା ମନ୍ଦିର, ମସଜିଦ, ଚର୍ଚ୍ଚ, ପରିବହନ ସେବା ବନ୍ଦ ରହେ | ଲକଡାଉନ ଘୋଷଣା ହୋଇଥିବା ଅଞ୍ଚଳକୁ ଯିବା ଆସିବା କରିବା ସମ୍ପୂର୍ଣ ବାରଣ କରାଯାଏ | ଜରୁରୀ ଜିନିଷ ଯେପରିକି ଔଷଧ, ପାଣି, କ୍ଷୀର କିରାଣୀ ଆଦି ଦୋକାନ ଖୋଲା ରହେ |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟୁ ଅପିଲ ପରେ ଆଜି ସାରା ଦେଶରେ ଜନତା କର୍ଫ୍ୟୁ ଦେଖିବାକୁ ମିଳିଛି | ମୋଦିଙ୍କ ଅପିଲକୁ ସାରା ଦେଶ ସମର୍ଥନ ଜଣାଇଛି | ଲୋକେ ନିଜ ନିଜ ଘରେ ରହିଛନ୍ତି | ଦୋକାନ ବଜାର ସବୁ ବନ୍ଦ ରହିଛି | ସକାଳ ୭ଟା ରୁ ରାତି ୯ଟା ଯାଏଁ ୧୪ ଘଣ୍ଟା ପାଇଁ ଜନତା କର୍ଫ୍ୟୁ ଅପିଲ କରିଛନ୍ତି ମୋଦି |
କରୋନା ଯୋଗୁଁ ଏଯାଏଁ ଦେଶରେ ୬ଜଣଙ୍କ ମୃତ୍ୟୁ ହେଲାଣି | ୩୪୧ ଆକ୍ରାନ୍ତ ଅଛନ୍ତି | ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରୁ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି ଯେ ଏମାନଙ୍କ ମଧ୍ୟରୁ ୪୧ ଜଣ ବିଦେଶୀ ନାଗରିକ ଅଛନ୍ତି | କେବଳ ଭାରତୀୟ ୨୯୬ ଆକ୍ରାନ୍ତ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ଅଛନ୍ତି | ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ମହାରାଷ୍ଟ୍ରରେ | ମହାରାଷ୍ଟ୍ରରେ ଏଯାଏଁ ୭୪ଜଣ ଆକ୍ରାନ୍ତ ହୋଇସାରିଲେଣି | ଏମାନଙ୍କ ମଧ୍ୟରୁ ୩ଜଣ ବିଦେଶୀ ନାଗରିକ | ମହାରାଷ୍ଟ୍ର ପରେ କେରଳରେ ଅଧିକ ଆକ୍ରାନ୍ତ ହୋଇଛି | କେରଳ ଏଯାଏଁ ୫୨ ଜଣ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୭ ଜଣ ବିଦେଶୀ ନାଗରିକ |