ମହାନଦୀକୁ ନେଇ ବିଧାନସଭାରେ ହଟ୍ଟଗୋଳ, ଉତ୍ତର ରଖିଲେ ମନ୍ତ୍ରୀ

Published By : Prameya-News7 Bureau | February 25, 2021 IST

ଭୁବନେଶ୍ୱର, ୨୫/୦୨: ମହାନଦୀ ତଳମୁଣ୍ଡରେ ବ୍ୟାରେଜ୍ ହୋଇପାରୁନାହିଁ । ବିଭିନ୍ନ କାରଣରୁ ହେବାକୁ ଥିବା ଏହି ପ୍ରକଳ୍ପ ନାଲି ଫିତା ତଳେ ଚାପି ହୋଇ ଯାଇଛି । ଏକଥା ଖୋଦ୍ ଜଳ ସଂପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ଶ୍ୱୀକାର କରିଛନ୍ତି ।

ଆଜି ବିଧାନସଭାରେ ଏପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ମନ୍ତ୍ରୀ କହିଛନ୍ତି, ତଳମୁଣ୍ଡରେ ବ୍ୟାରେଜ କରିବା ପାଇଁ ଯେତିକି ଉଦ୍ୟମ କରାଯିବା କଥା ତାହା ଆମେ କରିପାରିନାହୁଁ । ମନ୍ତ୍ରୀ ଏକଥା ବି କହିଛନ୍ତି, ଧିରେଧିରେ ମହାନଦୀରେ ଜଳ ପ୍ରବାହ କମିବାରେ ଲାଗିଛି । ଆଗାମୀ ବର୍ଷ ଗୁଡିକରେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ଛତିଶଗଡ଼ ସରକାର ବ୍ୟାରେଜ କରିବା କାରଣରୁ କ୍ରମାଗତ ଜଳ ପ୍ରବାହ କମୁଛି ।

ମହାନଦୀର ତଳମୁଣ୍ଡରେ ୧୫ ପ୍ରକଳ୍ପ ପାଇଁ ସିଡବ୍ଲୁସି ଅନୁମତି ମଗାଯାଇଥିଲା । ମହାନଦୀ ଜଳ ବିବାଦ ପାଇଁ ୭ ପ୍ରକଳ୍ପକୁ ଅନୁମତି ନ ଦେଇ ଫେରାଇ ଦେଇଛି ସିଡବ୍ଲୁସି । ଇନଷ୍ଟ୍ରିମ ଷ୍ଟୋରେଜ୍ ଯୋଜନାରେ ଚଳିତ ବର୍ଷ ୧୩ ଟି ପ୍ରକଳ୍ପ କରାଯିବ । ଏଥି ପାଇଁ ୭୯୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

୨୦୧୫ରୁ ମହାନଦୀ ଜଳକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତଳ ମୁଣ୍ଡରେ ବ୍ୟାରେଜ କରି ସମୁଦ୍ରକୁ ଚାଲିଯାଉଥିବା ପାଣିକୁ ସଂରକ୍ଷଣ ପାଇଁ ଥିବା ଯୋଜନା କେବଳ ଘୋଷଣାରେ ରହିଛି । ଯାହାକୁ ନେଇ ଆଜି ବିରୋଧି ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ପ୍ରଶ୍ନ କରିଛି , ମହାନଦୀରେ ପାଣିତ ନାହିଁ ଏବେ ବନ୍ଧ ବାନ୍ଧିବା ପାଇଁ ଅର୍ଥ ବରାଦ କଥା ମନ୍ତ୍ରୀ କହିବା ମୂଲ୍ୟ କଣ ।

ବିଜେପି କହିଛି ଯେ, ସରକାର ଶୋଇଥିଲେ, ଏବେ ଚେଇଁଛନ୍ତି । ବିଜେଡି ଏହାର ଉତ୍ତରରେ କହିଛି ହୀରାକୁଦ ତଳମୁଣ୍ଡରେ ବିବାଦ ନାହିଁ । ତେବେ ବୌଦ୍ଧ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି ବୋଲି ବିଜେଡି ବିଧାୟକ ପ୍ରଦୀପ ଅମାତ ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.