ବିଧାୟକ ପାଣ୍ଠିରୁ କିଣାଯିବ ମାସ୍କ, ମାଗଣାରେ ଲୋକଙ୍କୁ ବଣ୍ଟାଯିବ

Published By : Prameya-News7 Bureau | May 17, 2021 IST

ଭୁବନେଶ୍ଵର ୧୭।୦୫: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ସଂଘର୍ଷ କରୁଛି। କରୋନାର ଏହି ଦ୍ଵିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ବୈଠକରେ ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ ଆଶା କର୍ମୀ କରିବେ ବୋଲି ନିଷ୍ପତ୍ତି ହୋଇଛି। ଏଥିସହ ଗତ ବର୍ଷ ପରି ଏଥର ମଧ୍ୟ ସରପଞ୍ଚଙ୍କୁ ପୁଣି ଥରେ ଜିଲ୍ଲାପାଳ କ୍ଷମତା ମିଳିଛି। ଏଥିସହ ବିଧାୟକଙ୍କ ପାଣ୍ଠିରୁ ମାସ୍କ କିଣାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ବିଧାୟକ ପାଣ୍ଠିରୁ ଖର୍ଚ୍ଚ ହୋଇ ପାରିବ ୫୦ ଲକ୍ଷ ଟଙ୍କା

ତେଣୁ ଏହି ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ଯ୍ୟ ବିଶେଷତଃ, ମିଶନ ଶକ୍ତି ଗ୍ରୁପ ଠାରୁ କିଣି  ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଖର୍ଚ୍ଚ କରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଅତୀତରେ ଓଡିଶା ଅନେକ ଆହ୍ବାନକୁ   ଦୃଢତାର ସହ ମୁକାବିଲା କରିଛି ଏବଂ ସମସ୍ତଙ୍କ ସହଯୋଗରେ କୋଭିଡ ଲଢେଇରେ ମଧ୍ୟ  ଓଡିଶା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଯେହେତୁ ବିଧାୟକ ମାନେ ଅନେକ ଲୋକଙ୍କ ସହ ପ୍ରତିଦିନ ମିଶୁଛନ୍ତି, ତେଣୁ ନିଜର ଓ ନିଜ ପରିବାରର ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ।

ବିଧବା ଓ  ବାପା ମା ଙ୍କୁ ହରାଇ ଥିବା ପିଲା ମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନା

କୋଭିଡ ମୃତକଙ୍କ ପରିବାରର ବିଧବା ଓ  ବାପା ମା ଙ୍କୁ ହରାଇ ଥିବା ପିଲା ମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ବର୍ତ୍ତମାନ କୋଭିଡର ଦ୍ବିତୀୟ ଲହର ମଧ୍ୟରେ ଅଛୁ । ଆଗକୁ ଆମକୁ କେତେ ଲହର ଓ କେତେ variantର ମୁକାବିଲା କରିବାକୁ ହେବ, ତାହା କେହି ଜାଣିନାହିଁ ।

ମେ ୨୪ରୁ ଘର ଘର ବୁଲି ହେବ କରୋନା ସର୍ଭେ

ଆସନ୍ତା ମଇ ୨୪ ତାରିଖରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନଏମ ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପ୍ରତି ଗାରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ  ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍‌ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.