ମାସ୍କ ତିଆରି କରୁଛନ୍ତି ମହିଳା ସଂଘ: ଜଣେ କି ଦୁଇଜଣ ନୁହେଁ, ଶହ ଶହ ଗରିବ ଏବଂ ଖଟିଖିଆ ଲୋକଙ୍କୁ ବାଣ୍ଟୁଛନ୍ତି ମାସ୍କ
13/04/2020 at 4:28 PM

ଦେବଗଡ଼୧୩/୪: ସମଗ୍ର ବିଶ୍ବରେ ଏବେ କରୋନାର ଭୟାବହତା ଲାଗି ରହିଥିବା ବେଳେ ଏଥିରୁ ବଞ୍ଚିବା ପାଇଁ ସରକାର ବିଭିନ୍ନ ଉପାୟ ଘୋଷଣା କରୁଛନ୍ତି । କରୋନା ମୁକାବିଲା ପାଇଁ ଲକଡାଉନ୍ ଘୋଷଣା କରିଥିବା ବେଳେ ଯେଉଁମାନେ ଜରୁରୀ କାମରେ ବାହାରକୁ ଯାଉଛନ୍ତି, ସେମାନଙ୍କ ପାଇଁ ମାସ୍କ ପିନ୍ଧି ଘରୁ ବାହାରକୁ ବାହାରିବା ଜରୁରୀ ବୋଲି ସରକାର ବାରମ୍ବାର କହି ଆସୁଛନ୍ତି। ଏଭଳି ସ୍ଥିତିରେ ବଜାରରେ ଆବଶ୍ୟକତା ଅନୁସାରେ ମାସ୍କ ମିଳୁ ନଥିବା ବେଳେ ଏହି ଆବଶ୍ୟକତା ପୂରଣ ପାଇଁ ଦେବଗଡ ଜିଲ୍ଲାର କିଛି ମହିଳା ସଂଘ ଅଣ୍ଟା ଭିଡିଛନ୍ତି। ଜଣେ କି ଦୁଇଜଣ ନୁହେଁ, ଶହ ଶହ ଲୋକଙ୍କୁ ବଣ୍ଟାଯାଉଛି ମାସ୍କ।

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଳମ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୌଡନାଳୀ ଗ୍ରାମରେ କୋଭିଡ୍-୧୯ ଭୁତାଣୁର ମୁକାବିଲା ପାଇଁ ଚାରୋଟି ମହିଳା ସଂଘ ମାସ୍କ ତିଆରି କାମରେ ଲାଗି ପଡିଛନ୍ତି । ଏହି ଅଞ୍ଚଳରେ ଆବଶ୍ୟକୀୟ ପରିମାଣରେ ମାସ୍କ ମିଳୁନଥିବା ବେଳେ ଯାହା କିଛି ବି ମିଳୁଛି ତାର ଦର ଅଧିକ ରହିଛି। ଏଭଳି ସ୍ଥିତିରେ ଗରିବ, ନିରାଶ୍ରୟ, ନିସହାୟ, ବୁଢାବୁଢୀ ମାନଙ୍କୁ ମାସ୍କ ଯୋଗାଇ ଦେବା ଲକ୍ଷ୍ୟରେ ଏହି ମହିଳା ମାନେ ଆଗେଇ ଆସିଛନ୍ତି । ପ୍ରତ୍ୟେକ ଦିନ ମହିଳା ସଂଘର ସଦସ୍ୟାମାନେ ପାଳିକରି ମାସ୍କ ନିର୍ମାଣ କରିବା ସହ ଏହାକୁ ନିଜ ଗ୍ରାମ ତଥା ଆଖପାଖ ଗ୍ରାମରେ ବାଣ୍ଟୁଛନ୍ତି। ଏହା ସହ ଏହି ଗରିବ ଲୋକଙ୍କୁ ମାଗଣାରେ ସାବୁନ ଦେବା ସହ ସବୁବେଳେ ହାତ ଧୋଇବାକୁ ପରାମର୍ଶ ଦେଉଛନ୍ତି ।

ଦେବଗଡ ଜିଲ୍ଲା ର ଅଧିକାଂଶ ଅଧିବାସୀ ଚାଷ ଉପରେ ମୁଖ୍ୟତଃ ନିର୍ଭର କରୁଥିବା ବେଳେ ଏବେ ଲକଡାଉନ ଯୋଗୁଁ ସମସ୍ତଙ୍କ ଜୀବନ ଜୀବିକା ବନ୍ଦ ହୋଇରହିଛି । ଏଭଳି ସ୍ଥିତିରେ ଏହି ଅଞ୍ଚଳ ରେ ମାସ୍କ କିଣିବାକୁ ଲୋକଙ୍କ ପାଖରେ ସାମର୍ଥ୍ୟ ନଥିବା ବେଳେ ମହିଳା ସଂଘ ର ଏହି ପଦକ୍ଷେପ ଅଞ୍ଚଳବାସୀଙ୍କ ପାଇଁ ବରଦାନ ସଦୃଶ ହୋଇଛି । ମାସ୍କ ନିର୍ମାଣ ପରେ ମହିଳା ସଂଘ ପକ୍ଷରୁ ନିଜ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଏହାକୁ ଶାନ୍ତି ଶୃଙ୍ଖଳାର ସହ ସାମାଜିକ ଦୂରତ୍ବ ରଖି ବଣ୍ଟନ କରାଯାଉଛି । ଏହାକୁ ପାଇ ଗରୀବ ନିରାଶ୍ରୟ ବେଶ ଖୁସି ହୋଇଛନ୍ତି । ମହିଳା ସଂଘ ର ଏଭଳି ଜନହିତକର କାର୍ଯ୍ୟକୁ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି। ଏଭଳି ସ୍ଥିତିରେ ଦେବଗଡ ଜିଲ୍ଲା ଗୌଡନାଳୀ ଗ୍ରାମ ର ମହିଳା ସଂଘ ର କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।