ବର ମାଗିଲା ବୁଲେଟ, ଭାଙ୍ଗିଗଲା ବାହାଘର: ମାମଲା ଏବେ ଥାନାରେ

Published By : Prameya-News7 Bureau | March 21, 2020 IST

ପୁରୀ୨୧/୩: ବୁଲେଟ୍ ଭାଙ୍ଗିଦେଲା ନିର୍ବନ୍ଧ। ବିବାହ ତାରିଖ ସ୍ଥିର ହୋଇଯାଇଥିବା ବେଳେ କାର୍ଡ ମଧ୍ୟ ଛପା ସରିଥିଲା । ଏପରିକି ବିବାହ ମଣ୍ଡପ ଓ ଡେକୋରେସନ୍‌ ପାଇଁ ଆଡ୍‌ଭାନ୍ସ ମଧ୍ୟ ଦିଆସରିଥିଲା । ହେଲେ ହଠାତ୍‌ ବଢିଥିଲା ଯୌତୁକର ମାପ । ଯେତିକି ନେଇଥିଲେ ତା’ ଠାରୁ ଆହୁରି ଅଧିକ ଦାବି କରି ବରପକ୍ଷ ସୃଷ୍ଟି କରିଥିଲେ ବିଭ୍ରାଟ। ଗୋଟିଏ ବୁଲେଟ୍‌ ସହ ଆଉ ୫ ଲକ୍ଷ ଟଙ୍କା ଓ ସୁନା ଗହଣା ଦାବି କରି ଭାଙ୍ଗିଦେଲେ ବାହାଘର। ଶେଷରେ ବରପକ୍ଷ ବିରୁଦ୍ଧରେ ଏତଲା ଦେଲେ କନ୍ୟା । ଏନେଇ କୁମ୍ଭାରପଡା ଥାନାରେ ଏତଲା ହୋଇଥିବାବେଳେ ପୁଲିସ ଆରମ୍ଭ କରିଛି ଅନୁସନ୍ଧାନ ।

ଅଭିଯୋଗ ଅନୁଯାୟୀ, କନ୍ୟାପକ୍ଷ ସଦର ଥାନା ଅଞ୍ଚଳରେ ହୋଇଥିବାବେଳେ ସେମାନେ କୁମ୍ଭାରପଡା ଥାନା ଅଞ୍ଚଳରେ ରହୁଥିଲେ । କନ୍ୟା ହେଲେ ପୂଜା (ଛଦ୍ମନାମ) । ଟାଉନ୍‌ ଥାନା ଅଧୀନ ମଙ୍ଗଳା ମଙ୍ଗଳାମୁଣ୍ଡି ଅଞ୍ଚଳର ଜଣେ ଯୁବକ ସହ ପୂଜାଙ୍କ ବିବାହ ସ୍ଥିର ହୋଇଥିଲା । ପ୍ରଥମେ ବରପକ୍ଷ ଯୌତୁକ ନେବେନାହିଁ ବୋଲି କହିଥିଲେ । ଗତ ୧୧ ତାରିଖରେ ସୂର୍ଯ୍ୟନାରାୟଣ ମନ୍ଦିରରେ ନିର୍ବନ୍ଧ ପାଇଁ ସ୍ଥିର ହୋଇଥିଲା । ହେଲେ ମନ୍ଦିରରେ କନ୍ୟାପକ୍ଷ ପହଞ୍ଚିଥିଲେ ମଧ୍ୟ ସେଦିନ ଆସିନଥିଲେ ବରପକ୍ଷ । ଯୋଗାଯୋଗ କରିବା ପରେ ଯୌତୁକ ଦାବି କରିଥିଲେ ବରପକ୍ଷ। ତେଣୁ ଲୋକନିନ୍ଦା ଭୟରେ ରାଜିହେଲେ କନ୍ୟାପକ୍ଷ । ୧ ଲକ୍ଷ ଟଙ୍କା, ସୁନା ଗହଣା, ସୁଟ୍‌କେଶ୍‌ ଯୌତୁକ ଭାବେ ଦିଆଯିବା ପରେ ନିର୍ବନ୍ଧ ହୋଇଥିଲା।

ସେହିଦିନ ଆଖଣ୍ଡଳମଣି ମନ୍ଦିରରେ କନ୍ୟାଙ୍କ ପକ୍ଷରୁ ଭୋଜି ଆୟୋଜନ ମଧ୍ୟ ହୋଇଥିଲା । ମେ ୩ ତାରିଖରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏଥିନେଇ ବିବାହ ମଣ୍ଡପ, ଡେକୋରେସନ୍‌ ପାଇଁ ଆଡ୍‌ଭାନ୍ସ ଦିଆଯାଇଥିଲା। କାର୍ଡ ଛପାଯାଇ କନ୍ୟାପାଇଁ ସମସ୍ତ ଗହଣା ମଧ୍ୟ କିଣାଯାଇଥିଲା । ଏପରିକି ବର ପାଇଁ ମଧ୍ୟ ଅଳଙ୍କାର କଣିଦେଇଥିଲେ କନ୍ୟାପକ୍ଷ । ସାହି ପଡୋଶୀ ଓ ବନ୍ଧୁଘରେ ବିବାହ ପାଇଁ ଜଣାଇ ଦିଆଯାଇଥିଲା। ହେଲେ ହଠାତ୍‌ ଗତ ୧୪ ତାରିଖରେ ବିବାହ ପାଇଁ ରାଜି ହେଲେ ନାହିଁ ବରପକ୍ଷ ।

ଏହାର କାରଣ ପଚାରିବାରୁ ବରପକ୍ଷ ଏକ ବୁଲେଟ୍‌, ଅଧିକ ସୁନାଗହଣା ଓ ଆସବାବପତ୍ର ଦାବି କରିଥିଲେ । କନ୍ୟାପକ୍ଷ ନେହୁରା ହୋଇଥିଲେ ବରପକ୍ଷ ଶୁଣିନଥିବା ଅଭିଯୋଗ ହୋଇଛି । ପରେ ଗତ ୧୮ ତାରିଖରେ କନ୍ୟା ଓ ତାଙ୍କ ପରିବାର ବର ଘରକୁ ଯାଇଥିଲେ । ହେଲେ ସେଠାରେ ନିଜେ ବର ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଚିରିତ୍ର ସଂହାର କରି କନ୍ୟା ଓ ତାଙ୍କ ପରିବାରଙ୍କୁ ଆକ୍ରମଣ କରାଯାଇଥିବାବେଳେ ପରିବାର ସହ ବର ଏଭଳି କାଣ୍ଡ ଘଟାଇଥିବା ଏତଲାରେ ଉଲ୍ଲେଖ ରହିଛି । ଏନେଇ ନିଜେ କନ୍ୟା ଥାନରେ ଏତଲା ଦେଇଥିବାବେଳେ କୁମ୍ଭାରପଡା ଥାନା ପୁଲିସ ଛାନ୍‌ଭିନ୍‌ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.