କରୋନା ମାଡ଼ରେ ବଜାର ମାନ୍ଦା: ନିଫଟି ୯୬୬ ପଏଣ୍ଟ ହ୍ରାସ ହୋଇ ୮୬୨୪ ପଏଣ୍ଟରେ ପହଞ୍ଚିଛି
13/03/2020 at 10:57 AM

ନୂଆଦିଲ୍ଲୀ୧୩/୩: ଭାରତୀୟ ଷ୍ଟକ ମାର୍କେଟ ଉପରେ କରୋନା ମାଡ଼। ଗତକାଲି ପରି ଆଜି ବି ନିବେଶକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କରୋନାକୁ ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା ମହାମାରୀ ଭାବରେ ଘୋଷଣା କରିବା ପରେ ବିଶ୍ବ ବଜାର ମାନ୍ଦା ହୋଇଯାଇଛି । ଏହାର ସିଧା ସଳଖ ପ୍ରଭାବ ପଡିଛି ସେୟାର ମାର୍କେଟ ଉପରେ।
ଶୁକ୍ରବାର ଅର୍ଥାତ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲୁଖୋଲୁ ୩ ହଜାର ୯୦ ପଏଣ୍ଟ ଖସି ୨୯ ହଜାର ୬୮୭ ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫଟି ୯୬୬ ପଏଣ୍ଟ ହ୍ରାସ ହୋଇ ୮୬୨୪ ପଏଣ୍ଟରେ ପହଞ୍ଚିଛି । ବଜାର ଖୋଲୁଖୋଲୁ ୧୦ ପ୍ରତିଶତ ହ୍ରାସ ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ଟ୍ରେଡିଂ ବା କାରବାର ୪୫ ମିନିଟ୍ ପାଇଁ ବନ୍ଦ ରହିଛି। ୧୨ ବର୍ଷ ମଧ୍ୟରେ ଅର୍ଥାତ୍ ଜାନୁଆରୀ ୨୦୦୮ ପରେ ପ୍ରଥମ ଥର ପାଇଁ ଟ୍ରେଡିଂ ବନ୍ଦ କରିବାକୁ ପଡ଼ିଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବନିମ୍ନ ୭୪.୪୮କୁ ଖସି ଯାଇଛି ।
ତେବେ କେବଳ ଭାରତୀୟ ବଜାର ନୁହେଁ। କୋଭିଡ୍_୧୯ର ପ୍ରଭାବ ସାରା ବିଶ୍ବର ଅର୍ଥନୀତି ଉପରେ ପଡ଼ିଛି । ଆମେରିକା ସେୟାର ବଜାରର ପ୍ରମୁଖ ସୂଚକାଙ୍କ ଡାଓ ଜୋନ୍ସ ଓ ଏସ୍ଏଣ୍ଡପିରେ ମଧ୍ୟ ଐତିହାସିକ ହ୍ରାସ ଦେଖିବାକୁ ମିଳିଛି । ଫଳରେ ୧୫ ମିନିଟ୍ ପର୍ଯ୍ୟନ୍ତ ଆମେରିକା ବଜାରରେ ମଧ୍ୟ ଟ୍ରେଡିଂ ବନ୍ଦ ରହିଥିଲା ।