୧୦ ଦିନିଆ ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା : ଡେଲଟା ଭ୍ୟାରିଆଣ୍ଟର ଭୟାବହତାକୁ ଦୃଷ୍ଟିରେ ରଖି କଠୋର ହେଲେ ଏହି ରାଜ୍ୟ ସରକାର

Published By : Prameya-News7 Bureau | July 16, 2021 IST

ଇମ୍ଫାଲ ୧୬/୦୭ : ଦେଶରେ କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ଦେଖାଦେଇଛି । ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିସି ଜରିଆରେ ଆଲୋଚନା ମଧ୍ୟ କରିଛନ୍ତି । ତେବେ ମଣିପୁରରେ ବର୍ତ୍ତମାନ କରୋନାର ଡେଲଟା ଭ୍ୟାରିଆଣ୍ଟକୁ ରୋକିବା ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଜୁଲାଇ ୧୮ ତାରିଖରୁ ୧୦ ଦିନିଆ ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରାଯାଇଥିବା ସୂଚନା ମିଳିଛି । ଅର୍ଥାତ ଜୁଲାଇ ୨୭ ତାରିଖ ଯାଏଁ ରାଜ୍ୟରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଗାରି ରହିବ ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ମଣିପୁରରେ ଡେଲଟା ଭ୍ୟାରିଆଣ୍ଟ ଯୋଗୁଁ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ମଣିପୁରରେ ୧୦୩୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶରେ ୪୬୫, ମିଜୋରାମରେ ୫୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଣିପୁର ପ୍ରଶାସନ ପକ୍ଷରୁ ଡେଲଟା ଭ୍ୟାରିଆଣ୍ଟକୁ ରୋକିବା ଦିଗରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି । ଆସନ୍ତା ଜୁଲାଇ ୧୮ ତାରିଖରୁ ଜୁଲାଇ ୨୭ ତାରିଖ ଯାଏଁ ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରାଯାଇଛି ।

କର୍ଫ୍ୟୁ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରଖିବା ପାଇଁ ଅନୁମତି ଦିଆଯାଇଛି । କର୍ଫ୍ୟୁ ସମୟରେ ଟିକାକରଣ, କୋଭିଡ୍ ଟେଷ୍ଟିଂ, ସ୍ବାସ୍ଥ୍ୟ ସେବା, ପାଣି ଯୋଗାଣ, ଟେଲିକମ ତଥା ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସେବା ଜାରି ରହିବା ପାଇଁ ଅନୁମତି ଦିଆଯାଇଛି । ମୁଖ୍ୟମନ୍ତ୍ରର ଏନ୍‌ ବିରେନ୍‌ ସିଂହ କହିଛନ୍ତି, ‘ବିଭିନ୍ନ କମିଟି ତଥା ସଂସ୍ଥା ସହିତ ବୈଠକ ତଥା ବିଚାର ବିମର୍ଶ ପରେ ଏଭଳି ଦୃଢ ପଦକ୍ଷେପ ନିଆଯାଇଛି । ମହାମାରୀକୁ ରୋକିବା ପାଇଁ କ୍ଷମତା ଅନୁଯାୟୀ ଯାହା କିଛି ହୋଇପାରିବ ତାହା କରାଯାଉଛି । ରାଜ୍ୟର ଅନେକ ସ୍ଥାନରେ ଅକ୍ସିଜେନ ପ୍ଲାଣ୍ଟ୍ ଲଗାଯାଇଛି । ଏହା ସହିତ ଟିକାକରଣ ଅଭିଯାନକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି । ଏହାପରେ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ହଜାରେ ପାର କରୁଛି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ୧୦ ଉପରେ ରହୁଛି । ଯାହାକି ଚିନ୍ତାରେ ବିଷୟ । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ​‌ରେ ୧୦ ଦିନିଆ ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରାଯାଇଛି ।

ସେହିଭଳି ଓଡିଶା ମଧ୍ୟ ଅଗଷ୍ଟ ୧ ତାରିଖ ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ବଳବତ୍ତର ରଖିଛି । ପୁଡୁଚେରୀରେ ମଧ୍ୟ ଚଳିତ ମାସ ଶେଷ ଯାଏଁ ଲକ୍‌ଡାଉନ୍‌ ନିମୟକୁ ବଢାଇଦିଆଯାଇଛି । ଏହା ସହିତ ସାମାଜିକ, ରାଜନୈତିକ ଏବଂ ମନୋରଞ୍ଜନ ସମାରୋହ ଉପରେ ମଧ୍ୟ ରୋକ ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.