Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହାର୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ଜଣକ କିଏ ? ସ୍ତ୍ରୀର ପ୍ରତିଶୋଧ ନେବା ପାଇଁ କରିଥିଲେ ଏଭଳି କାମ

19/04/2019 at 5:54 PM

ଅହମଦାବାଦ ୧୯/୪ : ଗୁଜରାଟ ସୁରେନ୍ଦ୍ର ନଗରରେ କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କୁ ମଂଚ ଉପରେ ଚାପୁଡ଼ା ମାରିଥିବା ବ୍ୟକ୍ତି ଜଣକ କିଏ ଏବଂ ସେ କାହିଁକି ହାର୍ଦିକଙ୍କୁ ଚାପୁଡ଼ା ମାରିଥିଲେ ସେ ନେଇ ଅନେକ ପ୍ରଶ୍ନ ଉଠିଥିଲା | ଉକ୍ତ ବ୍ୟକ୍ତି ଜଣଙ୍କର ପରିଚୟ ମିଳିଛି | ତରୁଣ ଗଜ୍ଜର ନାମକ ବ୍ୟକ୍ତି ମହେସାଣା ଜିଲ୍ଲାର କଡ଼ି ଗାଁର ବାସିନ୍ଦା | ତରୁଣ ପଟିଦାର ଆନ୍ଦୋଳନକୁ ନେଇ କ୍ରୋଧିତ ଥିଲେ | ତାଙ୍କ କହିବାନୁଯାୟୀ, ଯେତେବେଳେ ପଟିଦାର ଆନ୍ଦୋଳନ ଚାଲୁଥିଲା ସେତେବେଳେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ ଏବଂ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ପ୍ରସବ ପରେ ସେ ଯେତେବେଳେ ନିଜ ଶିଶୁ ପାଇଁ ଔଷଧ ଆଣିବାକୁ ଔଷଧ ଦୋକାନ ଯାଇଥିଲେ ସେତେବେଳେ ସବୁ ଦୋକାନ ବନ୍ଦ ଥିଲା | ବହୁତ କଷ୍ଟରେ ତାଙ୍କ ଶିଶୁର ଜୀବନ ବଂଚିଥିଲା | ସେହିଦିନ ଠାରୁ ସେ କ୍ରୋଧରେ ଜର୍ଜରିତ ଥିଲେ | ସେହିଦିନ ସେ ପ୍ରତିଶୃତି ନେଇଥିଲେ ଯେ, ହାର୍ଦିକ ପଟେଲଙ୍କୁ ଉଚିତ ଜବାବ ଦେବେ | ସେଥିପାଇଁ ଆଜି ତାଙ୍କୁ ମଉକା ମିଳିବାରୁ ସେ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି କହିଛନ୍ତି |


ତରୁଣ ଗୁଜ୍ଜର କହିଛନ୍ତି ଯେ, ସେ କୌଣସି ରାଜନୈତିକ ଦଳର ସଦସ୍ୟ ନୁହନ୍ତି | ସେ ଏହିଭଳି ପଦକ୍ଷେପ କେବଳ ପଟିଦାର ଆନ୍ଦୋଳନ ଯୋଗୁଁ ଉତକ୍ଷିପ୍ତ ହୋଇ ଉଠାଇଥିଲେ | ସେ ଏହା ପୂର୍ବରୁ ମଧ୍ୟ ଥରେ ହାର୍ଦିକ ପଟେଲଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟମ କରିଥିଲେ | କିନ୍ତୁ ସଫଳ ହୋଇନଥିଲେ ବୋଲି କହିଛନ୍ତି |


ତରୁଣ କହିଛନ୍ତି ହାର୍ଦିକ କଣ ହିଟଲର ? ସେ ଯେବେ ଇଛା ଗୁଜରାଟ ବନ୍ଦ କରିଦେବେ | ରାସ୍ତାଘାଟ ବନ୍ଦ ହେଉଯାଉଛି, ଦୋକାନ ବନ୍ଦ ହେଉଛି | ସାଧାରଣ ଜନତାଙ୍କୁ ଏଥିପାଇଁ କେତେ କଷ୍ଟ ସହିବାକୁ ପଡୁଛି | ୧୪ ଜଣ ପଟିଦାରଙ୍କ ମୃତ୍ୟୁ ପାଇଁ ହାର୍ଦିକ ଦୋଷୀ ବୋଲି ତରୁଣ କହିଛନ୍ତି | ତରୁଣ ସିଧାସଳଖ କୌଣସି ରାଜନୈତିକ ଦଳ ସହ ସଂଯୁକ୍ତ ନୁହନ୍ତି | କିନ୍ତୁ ତାଙ୍କ ଫେସବୁକ ପେଜ ଯାଞ୍ଚ ପରେ ଜଣାପଡିଛି ଯେ, ସେ ବିଜେପି ସମର୍ଥକ |


ହାର୍ଦିକ ତରୁଣ ଗୁଜ୍ଜରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ସେ କହିଛନ୍ତି ଯେ, ବିଜେପି ତାଙ୍କୁ ମାରିବାକୁ ଷଡଯନ୍ତ୍ର କରୁଛି | ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ଅପରପକ୍ଷରେ ବିଜେପି ଅଧ୍ୟକ୍ଷ ଜିତୁ ବଧାନୀ କହିଛନ୍ତି ଯେ, ସମାଜ ସହ ଯେଉଁମାନେ ଗଦ୍ଦାରି କରିଛନ୍ତି ସେମାନଙ୍କୁ ସମାଜ ଏବଂ ଜନତା ଉଚିତ ଦଣ୍ଡ ଦେଇଛି |


ସୂଚନାଯୋଗ୍ୟ ଯେ, ହାର୍ଦିକ ପଟେଲଙ୍କୁ ଚାପୁଡ଼ା ମାରିବା ପରେ ମଂଚରେ ଉପସ୍ଥିତ ଲୋକେ ତରୁଣଙ୍କୁ ମାରପିଟ କରିଥିଲେ | ଫଳରେ ତରୁଣଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା | ଲୋକଙ୍କ କବଳରୁ ରକ୍ଷା କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ | ହସ୍ପିଟାଲରେ ତରୁଣଙ୍କ ଚିକିତ୍ସା ଚାଲିଛି |

   Related Posts