Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବର-ମୁଖୀଗୁଡା ଶ୍ରୀଚକାଡୋଳା ବସ ଜଳିଯିବାର ମୁଖ୍ୟକାରଣ ଏସିରେ ସର୍ଟସର୍କିଟ!

28/08/2019 at 6:57 PM

ଭୁବନେଶ୍ବର୨୮|୮: ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ହୁତ୍‌ ହୁତ୍‌ ହୋଇ ଜଳିଲା ଭୁବନେଶ୍ବର-ମୁଖୀଗୁଡା ଶ୍ରୀ ଚକାଡୋଳା ବସ । କିଛି ସମୟ ପାଇଁ ଆତଙ୍କିତ ହୋଇପଡ଼ିଥିଲେ ଯାତ୍ରୀ, ଓ ପାଖରେ ଥିବା ବସ୍‌ କର୍ମଚାରୀ । ବସ୍‌ ଭିତରେ ଶୋଇଥିବା କିଛି ବସ୍‌ କର୍ମଚାରୀ ଦଉଡ଼ି ପଦାକୁ ପଳାଇଆସିଥିଲେ । ନିଆଁ ଲାଗିବାର ପ୍ରାୟ ଦେଢ଼ ଘଣ୍ଟା ପରେ ଫାୟାର ବ୍ରିଗେଡ୍‌ର ଦୁଇ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲେ । ସର୍ଟ ସର୍କିଟ୍‌ ଯୋଗୁଁ ବସ୍‌ରେ ନିଆଁ ଲାଗିଥିବା କୁହାଯାଉଛି ।

 ହୁତ୍‌ ହୁତ୍‌ ହୋଇ ଜଳୁଥିଲା ବସ୍‌ । କଳା ଧୂଆଁରେ ଢ଼ାଙ୍କି ହୋଇଯାଇଥିଲା ସାରା ଅଂଚଳ । ଜୀବନ ବିକଳରେ ଜଳୁଥିବା ବସ୍‌ ପାଖରୁ ଅନ୍ୟ ବସଗୁଡ଼ିକୁ ଦୂରେଇ ନେବା ପାଇଁ ଉଦ୍ୟମ କରୁଥିଲେ ବସ୍‌ କର୍ମଚାରୀ । ନିଜର ସୁରକ୍ଷା ପାଇଁ ଦୂରକୁ ଦଉଡ଼ି ପଳାଉଥିଲେ ଯାତ୍ରୀ । ଇଏ ଥିଲା ବୁଧବାର ଅପରାହ୍ଣରେ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଭୟାନକ ଦୃଶ୍ୟ । କାଳେ ନିଆଁ ଆଉ କୁଆଡ଼େ ବ୍ୟାପିଯିବ ସେଇ ଭୟରେ ଥିଲେ ସମସ୍ତେ । ତୁରନ୍ତ ଫାୟାର ବ୍ରିଗେଡ୍‌କୁ ଖବର ଦିଆଯାଇଥିଲା ।

ନିଆଁ ଲାଗିଥିବା ବସଟି ପୂର୍ବ ରାତିରେ କଳାହାଣ୍ଡିରୁ ଭୁବନେଶ୍ବର ଆସି ବରମୁଣ୍ଡା ବସଷ୍ଟାଣ୍ଡ ପରିସରରେ ଠିଆ ହୋଇଥିଲା । ବସ୍‌ ଭିତରେ କର୍ମଚାରୀମାନେ ଶୋଇଥିବା ଅବସ୍ଥାରେ ହଠାତ୍‌ ବସରେ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିବାର ପ୍ରାୟ ଦେଢ଼ଘଣ୍ଟା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ୨ଟି ଫାୟାର ବ୍ରିଗେଡ୍‌ ଗାଡ଼ି । ତୁରନ୍ତ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଇଥିଲା । ହେଲେ ସେତେବେଳକୁ ବସଟି ସମ୍ପୂର୍ଣ୍ଣ ଜଳିସାରିଥିଲା ।

ରାଜଧାନୀର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ସାରା ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଥିବା ବସଗୁଡ଼ିକ ରହିଥାଏ । ଏତେ ସଂଖ୍ୟକ ବସ୍‌ ଏଠାରେ ରହୁଥିବା ବେଳେ ପ୍ରତିଦିନ ହଜାର ହଜାର ଯାତ୍ରୀଙ୍କର ମଧ୍ୟ ଏହି ବସଷ୍ଟାଣ୍ଡରେ ଚଳପ୍ରଚଳ ଥାଏ । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଯେତେବେଳେ ଗୋଟିଏ ଅଗ୍ନିକାଣ୍ଡ ଘଟୁଛି, ଆଉ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବରରେ ଫାୟାର ବ୍ରିଗେଡ୍‌ ପହଞ୍ଚୁଛି ତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ।

ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଫାୟାର ଷ୍ଟେସନ ଛକରେ ରହିଛି ରାଜ୍ୟ ଅଗ୍ନିଶମ ବିଭାଗର ଟ୍ରେନିଂ ସେଣ୍ଟର । ଯେଉଁଠି ପ୍ରଥମେ ଫାୟାର ବ୍ରିଗେଡ୍‌ ଗାଡ଼ି ରହୁଥିଲା । ହେଲେ ଏବେ ତାହାକୁ ସେକ୍ରେଟେରିଏଟ୍‌ ଭିତରକୁ ଉଠାଇ ନିଆଯାଇଛି । ଏଭଳି ପରିସ୍ଥିତିରେ  କଳ୍ପନାରୁ ଫାୟାର ବ୍ରିଗେଡ୍‌ ଗାଡ଼ି ଆସିବାକୁ ସମୟ ଲାଗିଥିଲା । ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଭଳି ଏକ ବ୍ୟସ୍ତବହୁଳ ଅଂଚଳ ନିକଟରେ ଫାୟାର ବ୍ରିଗେଡ୍‌ ଗାଡ଼ି ରଖିବାର ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି ।

   Related Posts