ହାଇଦ୍ରାବାଦରୁ ଆରମ୍ଭ କେନ୍ଦ୍ରାପଡାରେ ଶେଷ: ଘରୁ ଲୁଚି ଥାନାରେ ବାହା ହେଲେ ପ୍ରେମୀ ଯୁଗଳ
21/07/2020 at 4:12 PM

କେନ୍ଦ୍ରପଡା୨୧/୭: ଜଣେ କିନ୍ନରଙ୍କୁ ଜୀବନସାଥୀ ଭାବେ ସ୍ବୀକୃତି ଦେଇ ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡା ରାଜନଗର ଥାନା ଖଣ୍ଡେଇପଡା ଗାଁର ଯୁବକ କାହ୍ନୁ ଚରଣ। ଦୀର୍ଘ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ରହିବା ପରେ ଶେଷରେ କେନ୍ଦ୍ରାପଡା ସଦର ଥାନାରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଛି। ପରିବାରର ବିରୋଧ ସତ୍ତ୍ବେ ସାତଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି ଏହି ପ୍ରେମପକ୍ଷୀ।
କେନ୍ଦ୍ରାପଡା ସଦର ଥାନାରେ ଅନୁଷ୍ଠିତ ହୋଇଛି ଏହି ବିରଳ ବିବାହଘର। ରାଜନଗର ଥାନା ଅନ୍ତର୍ଗତ ଖଣ୍ଡେଇପଡା ଗ୍ରାମର କାହ୍ନୁ ଚରଣ ସ୍ବାଇଁ, ଯାହାଙ୍କୁ ପତ୍ନୀ ଭାବେ ଗ୍ରହଣ କରିଛନ୍ତି ସେ ହେଉଛନ୍ତି କଣ୍ଢେଇ କିନ୍ନର। କଣ୍ଢେଇଙ୍କ ଘର ମହାକାଳପଡା ଥାନା ଅନ୍ତର୍ଗତ ଲାଠୁଡା ଗଁ।ରେ। ଉଭୟ ହାଇଦ୍ରାବାଦ୍ ରେ ରହି ଗୋଟିଏ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ବିବାହ ପାଇଁ ମନସ୍ଥ କରିଥିଲେ। ଲକ୍ ଡାଉନ୍ ପରେ କେନ୍ଦ୍ରାପଡା ଫେରି ଆସି ଘର ଲୋକଙ୍କୁ ମନ କଥା କହିବାରୁ ଉଭୟଙ୍କୁ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା। କିନ୍ତୁ ଶେଷରେ ଉଭୟ କେନ୍ଦ୍ରାପଡା ସହର ଥାନାରେ ପହଁଚି ପରିସ୍ପରକୁ ବରଣମାଳା ଦେଇ ସାତଜନ୍ମ ପାଇଁ ସ୍ବାମୀ-ସ୍ତ୍ରୀ ଭାବେ ବଂଚିବା ପାଇଁ ଶପଥ ନେଇଥିଲେ।
ଏହି ବିବାହ କାର୍ଯ୍ୟରେ ମୁଖ୍ୟ ଭୂମିକା ନିର୍ବ।ହ କରିଥିଲା ଶ୍ରୀ ବଳଦେବଜୀଉ କିନ୍ନର ମହାସଂଘ। ଉଭୟ କାହ୍ନୁ ଚରଣ ଓ କଣ୍ଢେଇ ଘରୁ ଲୁଚି ପଳେଇ ଆସିବାପରେ ସେମାନଙ୍କୁ ସଂଘ ନିଜ କଜଳା ସ୍ଥିତ କାର୍ଯ୍ୟଳୟ ଆଶ୍ରୟ ଦେଇଥିଲା। ସେଠାରେ କିଛି ଦିନ ରହିବା ପରେ ପରିବାର ଲୋକେ ସେମାନଙ୍କ ନାମରେ ସଦର ଥାନାରେ ଏତଲା ଦେଇଥିଲେ। ପରେ ସଂଘର ହସ୍ତକ୍ଷେପ ପରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଏବେ ଉଭୟ କାହ୍ନୁ ଚରଣ ଓ କଣ୍ଢେଇ ଏକତ୍ର କିଛି ବ୍ୟବସାୟ ଆରମ୍ଭ କରି ପରିବାର ପୋଷଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।