ଜାନୁୟାରୀ ପ୍ରଥମ ସପ୍ତାହରେ ଖୋଲିପାରେ ଲିଙ୍ଗରାଜ ମନ୍ଦିର, ଆଲୋଚନା କରି ନିଷ୍ପତି ନିଆଯିବ କହିଲେ ଟ୍ରଷ୍ଟ ବୋର୍ଡ
13/12/2020 at 5:26 PM

ଭୁବନେଶ୍ଵର ୧୩।୧୨: ଜାନୁୟାରୀ ପ୍ରଥମ ସପ୍ତାହରେ ଖୋଲିପାରେ ଲିଙ୍ଗରାଜ ମନ୍ଦିର । ଏନେଇ ଚାଲିଛି ବିଚାରବିମର୍ଶ। ସମସ୍ତ ସେବାୟତଙ୍କ ସହ ଆଲୋଚନା କରି ସରକାରଙ୍କ ନିଷ୍ପତି ଅନୁସାରେ କାର୍ଯ୍ୟ ହେବ ବୋଲି କହିଛି ଟ୍ରଷ୍ଟ ବୋର୍ଡ। ସେପଟେ ସୁରକ୍ଷା ଦୃଷ୍ଟିରୁ ଭ୍ୟାକସିନ ଆସିବା ପରେ ମନ୍ଦିର ଖୋଲିଲେ ଭଲ ବୋଲି କହିଛନ୍ତି ମନ୍ଦିର ସୁପରଭାଇଜର। କିନ୍ତୁ ଭଗବାନଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଲେଣି ଭକ୍ତ।
ଶ୍ରୀମନ୍ଦିର ପରେ ଏବେ ପ୍ରଭୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ଜାନୁୟାରୀ ପ୍ରଥମ ସପ୍ତାହରେ ଖୋଲିପାରେ ଲିଙ୍ଗରାଜ ମନ୍ଦିର। ଏନେଇ ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି କହିଛନ୍ତି ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ। ପୁରୀ ମନ୍ଦିର ଖୋଲିଲା। ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଆମେ ଦାବି କରୁଛୁ ବୋଲି କହିଛନ୍ତି ବଡୁ ନିଯୋଗ ସେବାୟତ। ସବୁ ମନ୍ଦିର ସମାନ, କୋରନା ହେଲେ ସବୁଠି ହେବ। ତେବେ ଶ୍ରୀମନ୍ଦିର ଖୋଲିବାକୁ ଅନୁମତି ମିଳିଲା, ଲିଙ୍ଗରାଜଙ୍କୁ କାହିଁକି ଅନୁମତି ମିଳିବନି ପ୍ରଶ୍ନ କରିଛନ୍ତି ବ୍ରାହ୍ମଣ ଓ ବଡୁ ନିଯୋଗ ସେବାୟତ। ସରକାର ଶ୍ରୀକ୍ଷେତ୍ର ପାଇଁ ବିଚାର କଲେ ଏକାମ୍ରକ୍ଷେତ୍ର କଥା ଏବେ ଚିନ୍ତା କରନ୍ତୁ ବୋଲି ସେବାୟତ କହିଛନ୍ତି।
ସେପଟେ ଲିଙ୍ଗରାଜ ମନ୍ଦିର ଖୋଲିବା କୋରନା ସ୍ଥିତି ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଥିବା କହିଛନ୍ତି ମନ୍ଦିର ସୁପରଭାଇଜର । ଆଗକୁ ନୂଆ ବର୍ଷ ଓ ମାର୍ଚ୍ଚ ମାସରେ ଶିବରାତ୍ରୀ ପଡୁଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେବ । ତେଣୁ 4 ନିଯୋଗ, ମନ୍ଦିର ଟ୍ରଷ୍ଟ ବୋର୍ଡ ବସି ବିଚାର ବିମର୍ଷ କରିବାକୁ ପଡିବ । ଅନ୍ୟପଟେ ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ ସେବାୟତଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଯାତ୍ରୀ ଆସିଲେ କିଛି ରୋଜଗାର ହେଲେ ସ୍ଥିତିରେ ପରିବର୍ତ୍ତନ ଆସିବ। କିନ୍ତୁ କୋଭିଡ଼ ଟୀକା ଆସିବା ପରେ ମନ୍ଦିର ଖୋଲିଲେ ଭଲ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଭଗବାନଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଲେଣି ଭକ୍ତ। ଆଉ ଡେରି ନକରି ମନ୍ଦିର ଖୋଲିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ମନ୍ଦିର ଖୋଲିଲେ ସରକାରଙ୍କ ଗାଇଡ଼ଲାଇନ ମାନି ଦର୍ଶନ କରିବେ ବୋଲି କହିଛନ୍ତି ଶ୍ରଦ୍ଧାଳୁ।
ମାର୍ଚ୍ଚ ୨୨ ରୁ ବନ୍ଦ ରହିଛି ଲିଙ୍ଗରାଜ ମନ୍ଦିର ଦର୍ଶନ। ପର୍ଯ୍ୟଟକ ନଥିବାରୁ ସେବାୟତଙ୍କ ରୋଜଗାର ବି ନାହିଁ। ନୂଆବର୍ଷରୁ ସ୍ଥିତିରେ କିଛି ସୁଧାର ଆସିବ ବୋଲି ଆଶା ରଖିଛନ୍ତି ଭକ୍ତ ଓ ସେବାୟତ।