ଗରିବ ପରିବାରରୁ ବିଶ୍ୱର ସବୁଠାରୁ ଦାମୀ ଖେଳାଳି, କିଛି ଏମିତି ଥିଲା ମାରାଡୋନାଙ୍କ ସଫଳତାର ଯାତ୍ରା...

Published By : Prameya-News7 Bureau | November 26, 2020 IST

ନୂଆଦିଲ୍ଲୀ,୨୬|୧୧: ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ବୁଧବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପେଲେଙ୍କ ଭଳି ୧୦ ନମ୍ବର ଜର୍ସି ପରିଧାନ କରୁଥିବା ମାରାଡୋନା ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲର ଥିଲେ । ସେ ୬୦ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ସେ ସର୍ବଦା ନିଜର ବିଳାସପୂର୍ଣ୍ଣ ଜୀବନ, ଟଙ୍କା ଓ ବିବାଦକୁ ନେଇ ଚର୍ଚ୍ଚାରେ ରହୁଥିଲେ । ଗୋଟିଏ ସମୟ ଥିଲା ଯେତେବେଳେ ମାରାଡୋନା ବିଶ୍ୱର ସବୁଠାରୁ ଦାମୀ ଖେଳାଳି ଥିଲେ । କିନ୍ତୁ ତାଙ୍କର ପିଲାଦିନ ଆର୍ଥିକ ଅନଟନରେ କଟିଥିଲା ।

ମାରାଡୋନା ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସରେ ଜନ୍ମଗ୍ରହଣ କରିଥିଲେ । ଏପରିକି ଚାଳଛପର ଘରେ ସେ ଜନ୍ମଲାଭ କରିଥିଲେ । ପିତାମାତାଙ୍କର ଆଠଗୋଟି ସନ୍ତାନ ମଧ୍ୟରୁ ମାରାଡୋନା ଥିଲେ ପଞ୍ଚମ ସନ୍ତାନ । ତାଙ୍କ ପିଲାଦିନ ଆର୍ଥିକ ଅନଟନରେ କଟିଥିଲା । ତାଙ୍କ ପିତା ଆଖପାଖ ଗାଁରେ ଗାଈ ବଳଦ ଆଦି ବିକ୍ରି କରୁଥିଲେ । ପରେ ତାଙ୍କୁ ଏକ କେମିକାଲ ଫାକ୍ଟ୍ରିରେ ଚାକିରୀ ମିଳିଥିଲା । କିନ୍ତୁ ମାରାଡୋନା ମାତ୍ର ୧୫ ବର୍ଷ ବୟସରେ ସୁପର ଷ୍ଟାର ପାଲଟିଥିଲେ ।

ମାତ୍ର ୨୨ ବର୍ଷ ବୟସରେ ବିଶ୍ୱର ଦାମୀ ଖେଳାଳି

୧୯୮୨ରେ ସ୍ପେନର ପ୍ରସିଦ୍ଧ କ୍ଲବ୍ ବାର୍ସିଲୋନାରେ ଆର୍ଜେଣ୍ଚିନାର ଏହି ଷ୍ଟାର୍ ଖେଳାଳିଙ୍କ ସହ ୩ ମିଲିୟନ ପାଉଣ୍ଡ ବା ୩୦ କୋଟି ଡଲାରର ଚୁକ୍ତି ସ୍ୱାକ୍ଷରିତ କରିଥିଲା । ଏହାକୁ ନେଇ ଫୁଟୁବଲ ଜଗତରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ।  ୧୯୮୨ ଫୁଟବଲ ବିଶ୍ୱକପରେ ଦୁଇଟି ଗୋଲ୍ କରିବା ପରେ ମାରାଡୋନା ୧୯୮୦ରୁ ୧୯୯୦ ମଧ୍ୟରେ କ୍ରୀଡା ଜଗତରେ ଦବଦବା ଜାହିର କରିଥିଲେ । ୧୯୮୪ରେ ଇଟାଲୀ କ୍ଲବ୍ ନେପୋଲି ମାରାଡୋନାଙ୍କ ସହ ସମ୍ପର୍କ ଛିନ୍ନ କରିବା ପରେ ମଧ୍ୟ ତାଙ୍କୁ ୫୦ କୋଟି ଟଙ୍କା ଦେଇଥିଲା ।

ପେଲେଙ୍କ ସହ ହେଉଥିଲା ତୂଳନା

ମାରାଡୋନା ୪୯୧ଟି ମ୍ୟାଚ୍ ଖେଳି ୨୫୯ଟି ଗୋଲ୍ ଦେଇଥିଲେ । ୧୯୫୬ରେ ଆର୍ଜେଣ୍ଟିନାକୁ ସେ ବିଶ୍ୱକପ ବିଜୟୀ କରିବା ସହ ୧୯୯୦ରେ ଫାଇନାଲ ଯାଏଁ ନେଇଥିଲେ । କେବଳ ଏତିକି ନୁହେଁ ସେ ଏକ ସର୍ଭେରେ ପେଲେଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ । ବିଂଶ ଶତାବ୍ଦୀର ସବୁଠାରୁ ମହାନ ଫୁଟୁବଲର ଭାବେ ସେ ଗୌରବ ଅର୍ଜନ କରିଥିଲେ । ପରେ ଫିପା ନିୟମ ପରିବର୍ତ୍ତନ କରିଥିଲା ଓ ଉଭୟ ମାରାଡୋନା ଓ ପେଲେଙ୍କୁ ସମ୍ମାନିତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.