କାର୍ଯ୍ୟରତ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ, ଅଞ୍ଚଳର ସମସ୍ୟା ଜଣାଇବା ସହିତ ଏହାର ତୁରନ୍ତ ସମାଧାନ ପାଇଁ ଦାବି ରଖିଲେ ଗଣମାଧ୍ୟମ ପ୍ରତିନିଧି

Published By : Prameya-News7 Bureau | July 18, 2021 IST

ପାଟଣା, ୧୮/୦୭: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପୁଟୁଳିଆ ସ୍ଥିତ ଫାର୍ମ ହାଉସ ପରିସରରେ ରବିବାର ପାଟଣା ବିଧାୟକ ବ୍ଲକର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । କୋଭିଡ ସମୟରେ ସାମ୍ବାଦିକ ମାନେ ନିଜ ନିଜର ଜୀବନକୁ ବାଜି ଲଗାଇ  ବ୍ଲକର କୋଣ ଅନୁକୋଣରୁ ଖବର ସଂଗ୍ରହ କରି ପ୍ରଶାସନର ନଜରକୁ ଆଣିବା ସହ ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆଣୁଥିବାରୁ ସମସ୍ତ କାର୍ଯ୍ୟରତ ସାମ୍ୱାଦିକ ମାନଙ୍କ ଉଲେଖନୀୟ ଅବଦାନ ପାଇଁ ସାମ୍ବାଦିକମାନଙ୍କୁ  ସମ୍ବର୍ଦ୍ଧିତ କରିଛନ୍ତି ବିଧାୟକ ।

ଏଥି ସହ ଅଞ୍ଚଳର ପ୍ରତେକ ସମସ୍ୟା କିଭଳି ସମାଧାନ କରାଯିବ ସେଥି ନିମନ୍ତେ ସାମ୍ବାଦିକ ମାନଙ୍କର ମତ ଲୋଡିଥିଲେ ବିଧାୟକ । ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବର ବରିଷ୍ଠ ଉପଦେଷ୍ଟା ନୃସିଂହ ନାଥ ସିଂହ, ରାହସ ବିହାରୀ ପୃଷ୍ଟି, ପ୍ରେସ କ୍ଲବର ସଭାପତି ମହେଶ୍ୱର ପୃଷ୍ଟି, ଉପସଭାପତି ବୀରକିଶୋର ଦାଶ, ରଞ୍ଜନ ବାରିକ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ମହାନ୍ତ, ସମ୍ପାଦକ ବିଜୟ ରତ୍ନ ପତି, ସନ୍ତୋଷ କୁମାର ପତି, ଶାନ୍ତନୁ ବେହେରା  ଅଞ୍ଚଳରେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଆଦି ଅସୁବିଧା ଓ ପାଟଣା ମୁଖ୍ୟାଳୟରେ ସବ୍ ଟ୍ରେଜେରୀ ଓ ରେଜେଷ୍ଟି ଅଫିସ ସ୍ଥାପନ ପାଇଁ ବିଧାୟକଙ୍କୁ ପ୍ରସ୍ତାବ ଦେଇଥିଲେ ।

ସେହିପରି ତୁରୁମୁଙ୍ଗା ଡାକ୍ତରଖାନାରେ ଡାକ୍ତର ନଥିବାରୁ ନିଯୁକ୍ତି କରିବା, ତୁରୁମୁଙ୍ଗାରେ ନୂତନ ବ୍ଲକ, ସାହାରପଡାରେ ଥାନା ଆଦି ପ୍ରସ୍ତାବ ସାମ୍ବାଦିକ ମାନେ ବିଧାୟକଙ୍କ ନିକଟରେ ରଖିଥିଲେ । ଆଗାମୀ ଦିନରେ ଏହି ପ୍ରସ୍ତାବ ଗୁଡିକୁ ଜିଲ୍ଲା ପ୍ରଶାସନ ଓ ବିଧାନସଭାରେ ଉଠାଇ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି ବିଧାୟକ କହିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବ୍ଲକର ବୈଦୁତିକ, ଛାପା ଓ ୱେବ ମିଡିଆର ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଅଞ୍ଚଳର ସମସ୍ୟା ସମ୍ପର୍କରେ ବିଧାୟକଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ପରିଶେଷରେ ସ୍ୱାମ ପାଟଣା ପ୍ରେସ କ୍ଲବର ସମ୍ପାଦକ ତଥା ସାମ୍ବାଦିକ ବିଜୟ ରତ୍ନ ପତି  ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.