କୁଲଦୀପ ସେଙ୍ଗର ବିରୋଧରେ କେସ୍ ଲଢୁଥିବା ଓକିଲଙ୍କ ନିଧନ, ୧୬ ମାସ ଧରି ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | November 30, 2020 IST

ଉନ୍ନାଓ ୩୦।୧୧: ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ କେସ୍‌ ଲଢୁଥିବା ଓକିଲ ମହେନ୍ଦ୍ର ସିଂହ ମାଖୀଙ୍କ ସୋମବାର ପରଲୋକ ଘଟିଛି। ୧୬ ମାସ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା। ସେ ରାୟବରେଲି ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ସୋମବାର ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଉନ୍ନାଓ ଦୁଷ୍କର୍ମ କେସ୍‌ରେ ମହେନ୍ଦ୍ର ସିଂହ ମାଖୀ ପୀଡିତାଙ୍କ ପକ୍ଷରୁ ମାମଲା ଲଢୁଥିଲେ। ଲକ୍ଷ୍ନୌ ଯିବା ସମୟରେ ଏକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ତେବେଠୁ ତାଙ୍କର ଏମ୍ସରେ ଚିକିତ୍ସା ଚାଲିଥିଲା। ୨୦୧୯ ଜୁଲାଇରେ ଉନ୍ନାଓ କେସ୍‌ ପରେ ଯେବେ ପୀଡିତା ନିଜ ପରିବାର ଓ ଓକିଲଙ୍କ ସହ ରାୟବରେଲୀ ଯାଉଥିଲେ, ସେହି ସମୟରେ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପୀଡିତାଙ୍କ ଖୁଡି ଓ ମାଉସିଙ୍କ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଓକିଲ ଓ ପୀଡିତା ଗୁରୁତର ଆହତ ହୋଇଥିଲେ। ସେହି ଦିନଠୁ ଏମ୍ସରେ ଓକିଲଙ୍କ  ଚିକିତ୍ସା ଜାରି ରହିଥିଲା ଏବଂ ସେ କୋମାରେ ଥିଲେ।

ଉନ୍ନାଓ ଦୁଷ୍କର୍ମ କେସ୍‌ରେ ପୀଡିତାଙ୍କ ପିତାଙ୍କ ହାଜତରେ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଜେଲ୍‌ରେ ସଜା କାଟୁଥିବା ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗର ଦୀର୍ଘ ଦିନ ଧରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। ନିକଟରେ ତାଙ୍କ ପକ୍ଷରୁ ଅଦାଲତରେ ସିବିଆଇ ନିଷ୍ପତ୍ତି ବିରୋଧରେ ଆବେଦନ କରାଯାଇଛି। ଏହି ମାମଲାରେ କୁଲଦୀପ ସିଂହ ସେଙ୍ଗର ସମେତ ମୋଟ୍ ୭ ଦୋଷୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.