ଭଡାଟିଆଙ୍କୁ ମାସକର ଭଡା ଛାଡିଦେଲେ ଘର ମାଲିକ, କହିଲେ ସଂକଟରେ ସମସ୍ତେ ସମାନ ଓ ଏକାଠି ହେଲେ ହିଁ ବିପଦ ଟଳିବ

Published By : Prameya-News7 Bureau | April 14, 2020 IST

ଭୁବନେଶ୍ବର୧୪.୦୪-  କରୋନା ଭୟରେ ସବୁ ଠପ୍ । ଭୟଙ୍କର ଭାଇରସ୍ କୋଭିଡ୍-୧୯ ର ସଂକ୍ରମଣରେ ସାରା ବିଶ୍ବ ଥରହର । ଅନେକ ଦେଶ ଲକ୍‌ଡାଉନ , ପୁରା ଅଚଳ । ଲକ୍‌ଡାଉନ୍‌ର ସମାନ ଅବସ୍ଥା ଆମ ରାଜ୍ୟରେ, ଆମ ଦେଶରେ । ୨୧ ଦିନିଆ ଲକ୍‌ଡାଉନ ଆହୁରି ୧୯ ଦିନ ବଢିଛି । କୋଭିଡ୍‌୧୯ ସଂକ୍ରମଣରୁ ରକ୍ଷାପାଇବାକୁ ଘର ଭିତରେ ସମସ୍ତେ । ସାଧାରଣ ଜୀବନଯାତ୍ରା ଠପ୍ । ଅର୍ଥନୀତି ଉପରେ ଗୁରୁତର ପ୍ରଭାବ, ସାଧାରଣ ଜନତାଙ୍କ  ରୋଜି ରୁଟି, ରୋଜଗାର ସବୁ କିଛି ପ୍ରଭାବିତ ଏବଂ ବାଧାପ୍ରାପ୍ତ ।ଏହି ପରିପ୍ରେକ୍ଷୀରେ ସାଧାରଣ ଜନତା, ଅଭାବୀ, ସ୍ବଳ୍ପ ରୋଜଗାରୀ, ନିମ୍ନ ମଧ୍ୟବିତ୍ତ ଅଧିକ ମାତ୍ରାରେ ପ୍ରଭାବିତ ଏବଂ କ୍ଷତିଗ୍ରସ୍ତ। ଲକ୍‌ଡାଉନ ଜନୀତ ସ୍ଥିତିକୁ  ନଜରରେ ରଖି ଭଡାଘର ନେଇ ସହରାଞ୍ଚଳ ଏବଂ ବିଭିନ୍ନ ସ୍ଥାନରେ ରହୁଥିବା ବ୍ୟକ୍ତି ବା ପରିବାରଙ୍କ ଠାରୁ ଘରଭଡା କୋହଳ କରିବାକୁ , କିମ୍ବା ଛାଡ କରିବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରମାଲିକ ମାନଙ୍କୁ  ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ଉଦାହରଣ ହୋଇଛନ୍ତି ରାଜଧାନୀ ଭୁବନେଶ୍ବରର ଜଣେ ଘର ମାଲିକ । ତାଙ୍କ  ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ ।

ସେ ହେଲେ, ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳରେ ରହୁଥିବା ସୌଦାମିନୀ ସାମନ୍ତରାୟ । ସେ ଜଣେ ସମାଜସେବୀ । ତାଙ୍କ ଘରେ ୭ ଟି ପରିବାର ଦୀର୍ଘ ଦିନ ହେବ ଭଡାରେ ରହିଆସୁଛନ୍ତି । ସେମାନେ ବିଭିନ୍ନ ଅଞ୍ଚଳର ଏବଂ  ବିଭିନ୍ନ ବୃତ୍ତିର ।କିନ୍ତୁ ଗୋଟିଏ ପରିବାର ଭଳି ରୁହନ୍ତି । ତେବେ ବର୍ତ୍ତମାନ କରୋନା  ଜନୀତ ସ୍ଥିତିରେ ସେମାନଙ୍କ ବ୍ୟବସାୟ , ରୋଜଗାର ବନ୍ଦ। ରହିବା ଏବଂ ବଞ୍ଚିବାର ଚିନ୍ତା ।

wp:html /wp:html

ତେବେ ସେମାନଙ୍କ ସଂକଟରେ ଆଗ ସାହା ହୋଇଛନ୍ତି , ସେମାନଙ୍କୁ ଘର ଭଡା ଦେଇଥିବା ସୌଦାମିନୀ ସାମନ୍ତରାୟ । ସମସ୍ତ ଭଡାଟିଆଙ୍କୁ ମାସକର ଭଡା ଛାଡ କରିଦେଇଛନ୍ତି । ଅର୍ଥାତ୍‌ ମାର୍ଚ୍ଚ ମାସର ଭଡା ନେବେନି ।  ସଂକଟରେ ମାନବିକତାର ଉଦାହରଣ ହୋଇ ଥିବା ସୌଦାମିନୀ ରଖିଛନ୍ତି ତାଙ୍କ ନିଷ୍ପତ୍ତିର ଯୁକ୍ତି । କହିଛନ୍ତି ଅସୁବିଧା ବେଳେ ପରସ୍ପର ସହ ଛିଡା ହେବାରେ. ସମସ୍ୟାକୁ  ମୁକାବିଲା କରିବାରେ  ଆନନ୍ଦ ନିଆରା । ଭୁବନେଶ୍ବରରେ ଆଉ କେହି ଘରମାଲିକ ଏପରି ସହୃଦୟତା ଦେଖାଇଥିବାର ସୂଚନା ନଥିବା ବେଳେ ହାଇଦ୍ରାବାଦରେ ଜଣେ ବ୍ୟକ୍ତି ତାଙ୍କ ଭଡାଟିଆଙ୍କୁ ସାଢେ ୩ ଲକ୍ଷ ଟଙ୍କା ଘରଭଡା ଛାଡ କରିଦେଇଛନ୍ତି । ତେଣୁ ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରଖିଥିବା  ସୌଦାମିନୀ ନିଶ୍ଚିତ ଭାବେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସେ ପ୍ରଶଂସାର ହକଦାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.