୩୫ ବର୍ଷ ପରେ ଆରପାରିରୁ ଫେରିଲେ, ଜମି ବିକି ଦେଇ ଟଙ୍କା ବାଣ୍ଟି ଦେଲେ !

Published By : Prameya-News7 Bureau | December 30, 2020 IST

କେନ୍ଦ୍ରାପଡ଼ା୩୦/ ୧୨: ଏପରି ଶୀର୍ଷକ ଆପଣଙ୍କୁ ଅଡ଼ୁଆ ଲାଗୁଥିବ। ଭୁଲ୍ ଥିବା ଭାବୁଥିବେ, କିନ୍ତୁ କଥାଟି ହେଲା ଠକ ପ୍ରବଞ୍ଚକ ଏତେ ଧୃତ୍ତ ଯେ, ଆଖିରେ ଆଙ୍ଗୁଠି ଗେଞ୍ଜି ଡାହା ମିଛ ଦଲିଲ ତିଆରି କରି ଦେଉଛନ୍ତି। ନିୟମ ଲାଗୁ କଥା ଛାଡନ୍ତୁ, ନିୟମ ଚିନ୍ତାର ଢ଼େର ପୂର୍ବରୁ ନିୟମ ଲାଗୁର ଦସ୍ତାବିଜ୍ କରି ଦେଉଛନ୍ତି। ସ୍ବର୍ଗବାସର ୩୫ ବର୍ଷ ପରେ ଆଧାର କାର୍ଡ ନିୟମ ଆସିବାର ୩୦ ବର୍ଷ ପୂର୍ବରୁ କିପରି ମୃତ ଲୋକ ଜୀବନ୍ତ ହୋଇ ଆଧାର କାର୍ଡରେ ଜମି ବିକ୍ରି ଦଲିଲ କରୁଛି। କଥାଟି ଜାଣିଲେ, ଆପଣ ହୁଏତେ ଆଶ୍ଚର୍ଯ୍ୟ ହୋଇପାରନ୍ତି। କିନ୍ତୁ ଏହା ସତ। କେନ୍ଦ୍ରାପଡା  ଜିଲ୍ଲା ମହାକାଳପଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ଜମି ବିକିଛନ୍ତି ମୃତ ବ୍ୟକ୍ତି। ସେତିକି ନୁହେଁ, ଯିଏ ଜମି ବିକ୍ରି କରିଛନ୍ତି ତାଙ୍କ ମୃତ୍ୟୁ ବେଳକୁ ଅର୍ଥାତ୍‌ ୧୯୮୫ ମସିହାରେ ଆଧାର କାର୍ଡ ବ୍ୟବସ୍ଥା ବିଲକୁଲ୍‌ ନଥିବା ବେଳେ ତାଙ୍କର ଜାଲ୍‌ ଆଧାର କାର୍ଡ କରାଯାଇ ସବ୍‌ରେଜିଷ୍ଟ୍ରାର୍‌ଙ୍କ କାର୍ଯ୍ୟାଳୟରେ ଦାଖଲ ହୋଇଛି। ଏପରିକି କବଲାରେ ଯେଉଁମାନେ ଚିହ୍ନଟକାରୀ ଅଛନ୍ତି ସେମାନେ ବି  ସେମାନେ ବି ନକଲି। ମୃତ ବ୍ୟକ୍ତି ଜମି ବିକ୍ରି କରିବା ଘଟଣାକୁ ନେଇ ମାର୍ଶାଘାଇ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ମହାକାଳପଡ଼ା ବ୍ଲକ୍‌ ପଲ୍ଲିଗଡ଼ ଗ୍ରାମର କ୍ଷେତ୍ରବାସୀ ସେଠୀଙ୍କ ପତ୍ନୀ ବଈ ସେଠୀଙ୍କର ୧୯୮୫ ଅଗଷ୍ଟ ୬ ତାରିଖରେ ମୃତ୍ୟୁ ହୋଇଥିଲା। ଏହା ତାଙ୍କ ମୃତ୍ୟୁ ପ୍ରମାଣପତ୍ରରେ ଦର୍ଶାଯାଇଛି । ବଈଙ୍କ ନାମରେ ଥିବା ୬୫ ଡେସିମିଲ ଜମିକୁ ସେହି ଗ୍ରାମର ତ୍ରିଲୋଚନ ବେହେରା ଖର୍ଦ୍ଦି କରିଥିବା ଉଲ୍ଲେଖ ରହିଛି । ୨୦୨୦ ଜୁଲାଇ ୧୪ ତାରିଖରେ ଦଲିଲ ନଂ. ୬୨୧ରେ ବଈ ସେଠୀ ଉକ୍ତ ବ୍ୟକ୍ତିଙ୍କୁ ଜମି ବିକ୍ରି କରିଛନ୍ତି।

ମୌଜା ପଲ୍ଲିଗଡ଼ ଖାତା ନଂ. ୧୩୪, ପ୍ଲଟ ନଂ. ୨୮୭ରେ ୫୪ ଡେସିମିଲ ଓ ପ୍ଲଟ୍‌ ନଂ. ୨୨୭/୮୯୦ରେ ୧୧ ଡେସିମିଲ ଏଭଳି ମୋଟ ୬୫ ଡେସିମିଲ ଜମିକୁ ବଈ ସେଠୀ ବିକ୍ରି କରିଛନ୍ତି ବୋଲି ଦଲିଲରେ ଦର୍ଶାଯାଇଛି। ଏପରିକି ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏହା କବଲା ହେବାପରେ ଉକ୍ତ ପ୍ଲଟ ୨ଟିର ସ୍ଥାୟୀ ପଟ୍ଟା ତ୍ରିଲୋଚନ ବେହେରାଙ୍କ ନାମରେ ବାହାରିଛି । ଦାଖଲ ଖାରଜ କେସ୍‌ ନମ୍ବର ୮୧୪/୨୦୨୦ ହୁକୁମ ମୁତାବକ ଏହି ଦୁଇଟି ପ୍ଲଟକୁ ୧୩୪ରୁ ଖାରଜ କରାଯାଇ ଉକ୍ତ ଖାତା ପ୍ରସ୍ତୁତ କରାଯାଇଥିବା ପଟ୍ଟାରେ ଦର୍ଶାଯାଇଛି ।

ଏହି ମୂଲ୍ୟବାନ ଜମିକୁ ହାସଲ କରିବାକୁ ଦୁର୍ନୀତିର ସବୁ ସୀମା କ୍ରେତା ଟପି ଯାଇଛନ୍ତି । ଏପରିକି ୩୫ ବର୍ଷ ତଳେ ଆଧାର କାର୍ଡ ନଥିବା ବେଳେ ବଈ ସେଠୀଙ୍କ ଆଧାର କାର୍ଡ ନଂ. ୮୪୬୩୬୦୭୦୫୬୬୩ ବୋଲି ଏହି ଚଞ୍ଚକତାପୂର୍ଣ୍ଣ କବଲାରେ ସଂଯୋଗ କରାଯାଇଛି । ପୁଣି ଜମି ବିକ୍ରି ଚିହ୍ନଟରେ ମାର୍ଶାଘାଇ ବ୍ଲକ୍‌ ଦରବଚ୍ଛାର ଜଣେ ବ୍ୟକ୍ତି ଓ ବଈ ସେଠୀଙ୍କ ଜଣେ ସମ୍ପର୍କୀୟ ଭାଇଙ୍କୁ ଚିହ୍ନଟକାରୀ ଭାବେ ଦର୍ଶାଯାଇଛି । ଚିହ୍ନଟକାରୀ ଭାବେ ଦର୍ଶାଯାଇଥିବା ବ୍ୟକ୍ତି ଏହା ବେଆଇନ ଓ ସେ ଜମି କବଲା ବାବଦରେ କିଛି ଜାଣନ୍ତି ନାହିଁ କିମ୍ବା ଚିହ୍ନଟ କରିନାହାନ୍ତି ବୋଲି ପ୍ରତିବାଦ କରିବା ପରେ ଏଭଳି ବେଆଇନ ଓ ଅପରାଧମୂଳକ କାର୍ଯ୍ୟର ଖୁଲାସା ହୋଇଛି। ଏ ବାବଦରେ ବଈ ସେଠୀଙ୍କର ଜଣେ ସମ୍ପର୍କୀୟ ବିଷ୍ଣୁଚରଣ ସେଠୀ ମହାକାଳପଡ଼ା ଥାନାରେ ଏତଲା ଦାଏର କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.