କୋଭିଡ୍ ପଜିଟିଭ୍ ଯୋଗୁଁ ପରୀକ୍ଷା କେନ୍ଦ୍ରକୁ ପଶି ପାରିଲେନି ଜେଇଇ ପରୀକ୍ଷାର୍ଥୀ, ଦ୍ଵିତୀୟ ସୁଯୋଗ ପାଇଁ ଅନୁରୋଧ ପତ୍ର ଲେଖି ଫେରିଲେ

Published By : Prameya-News7 Bureau | September 02, 2020 IST

ବ୍ରହ୍ମପୁର ୦୨।୦୯:  କରୋନା ମହାମାରୀ କାଳରେ ଦେଶରେ ସବୁ ପ୍ରକାରର  ବ୍ୟବସ୍ଥା କରାଯାଇ ଜେଇଇ ଓ ନିଟ୍ ପରୀକ୍ଷା ଆୟୋଜିତ ହେଉଛି। ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଆସନ୍ତା ୬ ତାରିଖ  ଯାଏଁ ଚାଲିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଏହାର ଆୟୋଜନ କରୁଛି। ଅନେକ ପ୍ରକାରର ଗାଇଡ୍‌ଲାଇନ୍‌ ସହିତ ପରୀକ୍ଷାରେ ବସିବାକୁ ପରୀକ୍ଷାର୍ଥୀଙ୍କୁ ଅନୁମତି ଦିଆଯାଇଛି। ହେଲେ ଏସବୁ ମଧ୍ୟରେ ଜଣେ କୋଭିଡ୍ ଆକ୍ରାନ୍ତକାରୀ ଛାତ୍ର ଜେଇଇ ପ୍ରବେଶିକା ପରୀକ୍ଷା ଦେବାକୁ ଆସି ପରୀକ୍ଷା ନଦେଇ ପାରି କେନ୍ଦ୍ରରୁ ଫେରି ଯାଇଛନ୍ତି। ନିୟମ ଅନୁଯାୟୀ ପରୀକ୍ଷା ଦେବାକୁ ଛାତ୍ରଙ୍କୁ ସୁଯୋଗ ଦିଆଯାଇ ନାହିଁ।

ସୂଚନା ଅନୁଯାୟୀ କୋଭିଡ୍ ପଜିଟିଭ୍ ଛାତ୍ର ଜଣକ ଜେଇଇ ପରୀକ୍ଷା ପାଇଁ ରୋନାଲ୍ଡ ଇନଷ୍ଟିଚ୍ୟୁୟଟ୍‌ ପରୀକ୍ଷା କେନ୍ଦ୍ରକୁ ପହଞ୍ଚିଥିଲେ। ସେ ସକାଳ ୭ଟା ୩୦ରେ କୋଭିଡ୍ ଆମ୍ବୁଲାନ୍ସରେ ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ପ୍ରାୟ ୮ଟାରେ ଛାତ୍ରଙ୍କ ପାଖକୁ ଟିସିଏସ ପକ୍ଷରୁ ଏକ ମେଲ୍‌ ଆସିଥିଲା ଯେ, କରୋନା ପଜିଟିଭ୍ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ଅନୁମତି ନାହିଁ। ଏହା ପରେ ସେଠାରେ ଜିଲ୍ଲା ପ୍ରଶାସନ ତରଫରୁ ଉପସ୍ଥିତ ଆସିଷ୍ଟାଣ୍ଡ କଲେକ୍ଟର ଏନଟିଏ ପ୍ରଭାରୀଙ୍କୁ କୋଭିଡ୍-୧୯ ପଜିଟିଭ୍ ଛାତ୍ରଙ୍କୁ ପରୀକ୍ଷାରେ  ବସିବାକୁ ଅନୁମତି ନଦେବା ସମ୍ବନ୍ଧରେ ଲିଖିତ ଭାବେ ଦେବାକୁ କହିଥିଲେ।

ଏହା ପରେ ଏନଟିଏ ପ୍ରଭାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ଆସିଷ୍ଟାଣ୍ଡ କଲେକ୍ଟରଙ୍କୁ ଲିଖିତ ପତ୍ର ଦେଇଥିଲେ। ଛାତ୍ରଙ୍କୁ ମଧ୍ୟ କେଉଁ କାରଣ ପାଇଁ ପରୀକ୍ଷାରେ ବସିବାକୁ ଦିଆଗଲା ନାହିଁ ତାର ଲିଖିତ କପି ମଧ୍ୟ ଦିଆଯାଇଛି। ନିୟମ ଅନୁଯାୟୀ ଛାତ୍ରଙ୍କକୁ ପରୀକ୍ଷା ଦେବାକୁ ଦିଆଗଲା ନାହିଁ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି।  ଏହା ପରେ ଛାତ୍ର ଜଣକ ଦ୍ଵିତୀୟ ସୁଯୋଗ ପାଇଁ ଅଧିକାରୀଙ୍କୁ ଅନୁରୋଧ ପତ୍ର ଲେଖି ଆମ୍ବୁଲାନ୍ସରେ ପରୀକ୍ଷା କେନ୍ଦ୍ରରୁ ଫେରି ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.