‘କିସ୍ତି ଦେବିନି କି କାର ଛାଡ଼ିବିନି’: ରିକୋଭରି ଟିମ୍‌ ସାମ୍ନାରେ ଜାଳିଦେଲେ ଗାଡ଼ି, ଭାଇରାଲ ହେଉଛି ଭିଡିଓ

Published By : Prameya-News7 Bureau | November 11, 2021 IST

ଗ୍ବାଲିୟର ୧୧/୧୧: ଲୋନ୍‌ରେ କାର କିଣି କିସ୍ତି ଭରିପାରିଲେନି କାର ମାଲିକ। ଫାଇନାନ୍ସ କମ୍ପାନୀ ଗାଡ଼ି ଉଠାଇ ଆଣିବାକୁ ଟିମ୍‌ ପଠାଇବା ପରେ କାର ମାଲିକଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା। ଯେମିତି ଟିମ୍‌ କାର ଉଠାଇବା କଥା କହି​‌ଲେ ଏହା ଶୁଣି କାର କିଣିଥିବା ବ୍ୟକ୍ତି ଯାହା କଲେ ତାହା ଏବେ ଚାଞ୍ଚଲ୍ୟ ଖେଳାଇଛି। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କାର ମାଲିକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।

ମଧ୍ୟପ୍ରଦେଶର ଗ୍ବାଲୟରରେ ଜଣେ ବ୍ୟକ୍ତି କାର କିସ୍ତି ଦେଇନଥିବାରୁ ଫାଇନାନ୍ସ କମ୍ପାନୀ ତାଙ୍କ କାର ଉଠାଇନେବାକୁ ଟିମ୍‌ ପଠାଇଥିଲା। ଟିମ କାର ନେବାକୁ କହିବାରୁ କାର ମାଲିକ ବିନୟ ଶର୍ମା ଗାଡ଼ିରେ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇଦେଇଥିଲେ। ଗ୍ବାଲିୟରର ଭିଣ୍ଡ ରୋଡ୍‌ରେ ରହୁଥିବା ବିନୟ ଋଣରେ କାର କିଣିଥିଲେ। କିସ୍ତି ଦେବାକୁ ବାରମ୍ବାର ନୋଟିସ୍‌ ମିଳିଥିଲେ ବି ସେ କର୍ଣ୍ଣପାତ କରିନଥି​‌ଲେ। ଏହା ପରେ ଟିମ୍‌ ଗାଡ଼ି ରିକୋଭରି କରିବାକୁ ବିନୟଙ୍କ ଘରେ ପହଞ୍ଚିଥିଲେ। ଘର ସାମ୍ନାରେ ଛିଡ଼ା ହୋଇଥିବା କାରକୁ ଉଠାଇବା ପାଇଁ ଟିମ୍‌ କହିବା ମାତ୍ରେ ବିନୟ ହଠାତ ରାଗିଯାଇଥିଲେ।

ଏହା ପରେ କାର ସିଟ୍‌ରେ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇଦେଇଥିଲେ ବିନୟ । କାରଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ପାଖରେ ଥିବା ଏକ ଫ୍ୟାକ୍ଟ୍ରିର ସିକ୍ୟୁରିଟି ଗାର୍ଡ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ କଲ କରିଥିଲେ। ଘଟଣାସ୍ଥଳରେ ଦମକଳ ପହଞ୍ଚିବା ପୂର୍ବରୁ କାର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ବିନୟ ଶର୍ମାଙ୍କ ସମସ୍ତ ହରକତ କେହି ଜଣେ ମୋବାଇଲ୍‌​‌ରେ ରେକର୍ଡ କରିନେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ପ୍ରଥମେ ଭିଡିଓ ପାଇବା ପରେ ଅଭିଯୁକ୍ତ ବିନୟ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିଛି ।  

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.