ରାଜ୍ୟପାଳଙ୍କୁ ଭେଟିଲେ ଭାରତୀୟ ସୂଚନା ସେବା ଅଧିକାରୀ

Published By : Prameya-News7 Bureau | October 22, 2021 IST

ଭୁବନେଶ୍ଵର ୨୨।୧୦: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ରେ କ୍ଷେତ୍ରୀୟ ପ୍ରଶିକ୍ଷଣ କରୁଥିବା ନବାଗତ ଭାରତୀୟ ସୂଚନା ସେବା(ଆଇଆଇଏସ୍) ଅଧିକାରୀମାନେ ଆଜି ଭୁବନେଶ୍ଵରସ୍ଥିତ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି।

ଆଇଆଇଏସ ଶିକ୍ଷାନବୀସମାନଙ୍କୁ ଓଡିଶାରେ ସ୍ଵାଗତ କରି ରାଜ୍ୟପାଳ କହିଥିଲେ ଯେ, ଓଡିଶା ସବୁ କ୍ଷେତ୍ରରେ ଏକ ସମୃଦ୍ଧ ଏବଂ ସଂପନ୍ନ ରାଜ୍ୟ। ଏହି ରାଜ ଧର୍ମ, ସଂସ୍କୃତି, ପ୍ରାକୃତିକ ସମ୍ପଦ ଏବଂ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ। ବିଗତ ତିନି ବର୍ଷ ମଧ୍ୟରେ ନିଜର ଅଭିଜ୍ଞତା ବିଷୟରେ ସେ କହିଥିଲେ ଯେ, ଓଡିଶାବାସୀ ଆତ୍ମସନ୍ତୋଷପୂର୍ଣ୍ଣ  ଜୀବନଯାପନ କରିଥାନ୍ତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ସେମାନଙ୍କର ପ୍ରଗାଢ ଆସ୍ଥା ଓ ବିଶ୍ଵାସ ରହିଛି। ତେଣୁ ଯୁବ ଅଧିକାରୀମାନେ ଏଠାକୁ ଆସି, କାମ କରିବା ଓ ଶିଖିବାର ଶ୍ରେଷ୍ଠ ସୁଯୋଗ ପାଇ ପାରିବେ ବୋଲି ରାଜ୍ୟପାଳ କହିଥିଲେ। ଶୃଙ୍ଖଳିତ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ଶିକ୍ଷାନବୀସମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ଵତ ମିଶ୍ର, ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ଉପ ନିର୍ଦ୍ଦେଶକ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀ, ଭାରତୀୟ ସୂଚନା ସେବାର ଚାରି ଜଣ ଶିକ୍ଷାନବୀସ ଅଧିକାରୀ ନିକିତା ଯୋଶୀ, ଶୀନମ ଜୈନ, ମନଦୀପ କୁମାର, ସନ୍ତୋଷ ଭେଙ୍କଟରମଣଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.