ଜାତିସଂଘରେ ଭାରତର ବଡ ବିଜୟ, ପରାମର୍ଶଦାତା କମିଟିରେ ନିର୍ବାଚିତ ହେଲେ ଭାରତୀୟ କୂଟନୈତିଜ୍ଞ

Published By : Prameya-News7 Bureau | November 07, 2020 IST

ନ୍ୟୁୟର୍କ ୦୭।୧୧: ମିଳିତ ଜାତିସଂଘରେ ଭାରତର ବଡ ବିଜୟ। ଭାରତୀୟ କୂଟନୈତିଜ୍ଞ ଭିଦିଶା ମିତ୍ରଙ୍କୁ ପ୍ରଶାସନିକ ଏବଂ ବଜେଟ୍ ସମ୍ବନ୍ଧିତ ମିଳିତ ଜାତିସଂଘର ପରାମର୍ଶଦାତା କମିଟିରେ ସଦସ୍ୟ ଭାବେ ଚୟନ କରାଯାଇଛି। ଏହା ସାଧାରଣ ପରିଷଦର ଏକ ଆନୁଷଙ୍ଗିକ ଅଙ୍ଗ ହୋଇଥାଏ। ଏସିଆ ପ୍ରଶାନ୍ତ ରାଷ୍ଟ୍ର ସମୂହରେ ମିଳିତ  ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ମିତ୍ରଙ୍କୁ ୧୨୬ ଭୋଟ୍ ମିଳିଛି।

ଉଲ୍ଲେଖନୀୟ ମହାସଭାର ପରାମର୍ଶଦାତା କମିଟି ସଦସ୍ୟଙ୍କୁ ନିଯୁକ୍ତି ଦେଇଥାନ୍ତି। ସଦସ୍ୟଙ୍କ ଚୟନ ବ୍ୟାପକ ଭୌଗୋଳିକ ପ୍ରତିନିଧିତ୍ଵ, ବ୍ୟକ୍ତିଗତ ଯୋଗ୍ୟତା ଓ ଅଭିଜ୍ଞତା ଆଧାରରେ ହୋଇଥାଏ। ଏସିଆ-ପ୍ରଶାନ୍ତ ରାଷ୍ଟ୍ର ସମୂହରୁ ନାମିତ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ମିତ୍ର ରହିଥିଲେ। ସମୂହରେ ଥିବା ଇରାକର ଅଲି ମହମ୍ମଦ ଫଇକ ଅଲ ଦବଗଙ୍କୁ ୬୪ ଭୋଟ୍ ମିଳିଥିଲା। ମିତ୍ରଙ୍କ କାର୍ଯ୍ୟକାଳ ତିନି ବର୍ଷ ରହିବ, ଯାହା ୨୦୨୧ ଜାନୁଆରୀରୁ ଆରମ୍ଭ  ହେବ।

ଏହି ବିଜୟ ଏମିତି ସମୟରେ ମିଳିଛି, ଯେତେବେଳେ ଭାରତ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଦୁଇ ବର୍ଷ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ମିଳିତ  ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତୀ ଏକ ଭିଡିଓ ସନ୍ଦେଶରେ କହିଛନ୍ତି, ଜାତି ସଂଘର ସଦସ୍ୟ ରାଷ୍ଟ୍ର ବିପୁଳ ସମର୍ଥନ ଦେଇ ମିତ୍ରଙ୍କୁ ମିଳିତ ଜାତିସଂଘର ଏସିଏବିକ୍ୟୁରେ ନିର୍ବାଚିତ କରିଛନ୍ତି। ସେ ଆଶା ପ୍ରକଟ କରିଛନ୍ତି ଯେ, ମିତ୍ର ଏସିଏବିକ୍ୟୁରେ ନିରପେକ୍ଷ, ଉଦ୍ଦେଶ୍ୟପୂର୍ଣ୍ଣ ଏବଂ ସନ୍ତୁଳନ ରକ୍ଷା କରି କାମ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.