ଆଫଗାନିସ୍ତାନରେ ବଢିବାରେ ଲାଗିଛି ତାଲିବାନର ପ୍ରଭାବ, ବିଗିଡିବାରେ ଲାଗିଛି ସ୍ଥିତି, ନିଜ ନାଗରିକଙ୍କୁ ଫେରାଇ ଆଣିବାକୁ ଭାରତର ପ୍ରସ୍ତୁତି ଆରମ୍ଭ

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ ୦୬।୦୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଆକ୍ରମଣାତ୍ମକ  ହୋଇ ଉଠିଛି। ତାଲିବାନର ସଦସ୍ୟ ଆଫଗାନିସ୍ତାନର ଅନେକ ଜିଲ୍ଲାକୁ ନିଜ କବଜାକୁ ନେଇ ସାରିଲେଣି। ସ୍ଥିତି ଧିରେ ଧିରେ ଜଟିଳ ଆଡକୁ ଗତି କରୁଛି। ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିକୁ ଦେଖି ଭାରତ ସମେତ ଅନେକ ଦେଶ ଚିନ୍ତିତ। ଉକ୍ତ ଦେଶର ଅନେକ ସହରରେ ଭାରତୀୟ ନାଗରିକ ରହୁଛନ୍ତି। ସେମାନଙ୍କ ସୁରକ୍ଷାକୁ ନେଇ ଭାରତ ସରକାର ବଡ ନିଷ୍ପତ୍ତି ନେଇଛନ୍ତି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ତାଲିବାନର ବଢୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଭାରତ ନିଜ ଅଧିକାରୀ ଓ ନାଗରିକଙ୍କୁ ସ୍ଵଦେଶ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଜଣେ ଶୀର୍ଷ ଅଧିକାରୀଙ୍କ ଅନୁଯାୟୀ, ଆଫଗାନିସ୍ତାନରେ କାବୁଲ, କାନ୍ଧାର ଓ ମଜାର ଏ ସରିଫ ସହରରେ ଥିବା ଭାରତର କର୍ମଚାରୀ ଓ ଅଧିକାରୀଙ୍କୁ କାଢିବାର ଯୋଜନା ଉପରେ କାମ କରାଯାଉଛି।

ଆଫଗାନ ସହର ଓ ଭିତର ଅଞ୍ଚଳର ସୁରକ୍ଷା ସ୍ଥିତିକୁ ଦେଖି ଅନେକ ଦେଶ ନିଜର ଦୂତାବାସ ଓ ବାଣିଜ୍ୟିକ ଦୂତାବାସ ସଞ୍ଚାଳନ ପାଇଁ ଅସମର୍ଥ ହୋଇ ପଡିଲେଣି। ସୂତ୍ର ଅନୁଯାୟୀ, ତାଲିବାନର ଆକ୍ରମଣ ଭୟରେ ଆଫଗାନ ଅଧିକାରୀ ଖୋଦ୍ ନିଜର ସରକାରୀ ନିୟନ୍ତ୍ରଣରେ ଥିବା କ୍ଷେତ୍ରରୁ ପଳାୟନ କରିବାରେ ଲାଗିଛନ୍ତି। ତାଲିବାନ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ନିଜ କବଜାକୁ ନେବାରେ ଲାଗିଛନ୍ତି।

ଅନ୍ୟପଟେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ପ୍ରାୟ ଦୁଇ ଦଶନ୍ଧି ପରେ ଆମେରିକା ସେନା ବଗରାମ ଏୟାର ବେସ୍‌ ଛାଡିଛନ୍ତି। ଏହି ଏୟାରବେସ୍ କେବେ ତାଲିବାନଙ୍କୁ ଉଖାଡି ଫିଙ୍ଗିବା ପାଇଁ ହୋଇଥିବା ଯୁଦ୍ଧ ଓ ଆମେରିକା ଉପରେ ୯/୧୧ରେ ହୋଇଥିବା ଆତଙ୍କବାଦୀ  ଆକ୍ରମଣ ପାଇଁ ଦାୟୀ ଅଲ କାଏଦାର ଷଡଯନ୍ତ୍ରକାରୀଙ୍କ ଧରପଗଡ ପାଇଁ ସେନାର କେନ୍ଦ୍ର ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.