ଆସନ୍ତାକାଲି କେନ୍ଦ୍ରାପଡା ଓ ଅନୁଗୁଳ କୋଭିଡ୍ ହସ୍ପିଟାଲର ଲୋକାର୍ପଣ....

Published By : Prameya-News7 Bureau | April 13, 2020 IST

ଭୁବନେଶ୍ବର୧୩/୪: କରୋନାକୁ ରୋକିବା ପାଇଁ ପୂରା ଦମ୍‌ରେ ଲାଗିଛନ୍ତି ରାଜ୍ୟ ସରକାର। ତେଣିକି ସେ ମେଡିକାଲ ଇକ୍ୟୁପମେଣ୍ଟ କଥା ହେଉ କି କୋଭିଡ୍‌ ହସ୍ପିଟାଲ ନିର୍ମାଣ। ମାତ୍ର ୭ ଦିନ ମଧ୍ୟରେ ହଜାରେ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଛିଡ଼ା କରି ଓଡ଼ିଶା ସାରା ଦେଶରେ ରେକର୍ଡ କରିଥିବା ବେଳେ ଏବେ ଏହି ସଂଖ୍ୟା ୬ ହଜାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏହି କ୍ରମରେ ଆଜି ବୌଦ୍ଧ, ରାୟଗଡ଼ା, ଜୟପୁର ଓ ବାଲେଶ୍ବରରେ ଉଦଘାଟିତ ହୋଇଛି କୋଭିଡ୍‌_୧୯ ହସ୍ପିଟାଲ । ସେହିପରି  ସମ୍  ହସ୍ପିଟାଲ ପକ୍ଷରୁ କେନ୍ଦ୍ରାପଡ଼ା ଓ ଅନୁଗୁଳରେ ନିର୍ମିତ ହୋଇଥିବା ହସ୍ପିଟାଲ ଆସନ୍ତାକାଲି  ଲୋକାର୍ପିତ ହେବ ।

କରୋନା ବେଡ୍‌ ସଂଖ୍ୟା ୬ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ । ବୌଦ୍ଧରେ ଉଦ୍ ଘାଟିତ ହେଲା ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସପିଟାଲ। ସହରର ମଧ୍ୟବର୍ତୀ ଅଂଚଳରେ ଥିବା ପୁରାତନ ଜେଲ ପରିସରରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମ।ଣ କରାଯାଇଛି । ଆଜି ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଲୋକାର୍ପିତ କରିଥିଲେ । ଏହାର ପରିଚାଳନା ପାଇଁ ଡାକ୍ତରଙ୍କ ସମେତ ୫୦ ଜଣ ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତ ରିହବେ ସେପଟେ ରାୟଗଡା ଜିଲ୍ଲାରେ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ଜେକେପୁର ସ୍ଥିତ ଇଏସଆଇ ମେଡିକାଲ ପରିସରରେ କୋଭିଡ ୧୦୦ ଶଯ୍ୟା ବିଶିଷ୍ଟ ହସପିଟାଲ କରାଯାଇଛି । ଜିଲ୍ଲାପାଳ  ଓ ଏସପି  ଏହାର ଉଦଘାଟନ କରିଛନ୍ତି । ଏହି ଚିକିତ୍ସାଳୟରେ ସ୍ବାବ ସଂଗ୍ରହ ସହିତ ରୋଗୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ରହିଛି ।

ସେହିପରି ବାଲେଶ୍ବର ଓ ଜୟପୁରରେ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି କୋଭିଡ୍‌ ହସ୍ପିଟାଲ । ଜୟପୁରରେ ୧୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଲୋକାର୍ପିତ ହୋଇଛି । ଏଥିପାଇଁ ସହରର ପୁରୁଣା ଡାକ୍ତରଖାନାକୁ କୋଭିଡ ହସ୍ପିଟାଲ କରାଯାଇଛି ।ଏହି ଡାକ୍ତରଖାନାରେ ପାଖାପାଖି ୧୦୦ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ନିୟୋଜିତ ଅଛନ୍ତି । ବାଲେଶ୍ବର ଜିଲ୍ଲାରେ କୁରୁଡାସ୍ଥିତ ଜ୍ୟୋତି ହସ୍ପିଟାଲରେ ଓଏଚ୍‌ପିସି ସହଭାଗିତାରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଅନୁରୂପ ଭାବେ ବାମପଦା ନୋସିରେ ୨୦୦ ଶଯ୍ୟା, ରେମୁଣାର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା, ଫକୀରମୋହନ ମହାବିଦ୍ୟାଳୟ କମର୍ସ ବ୍ଲକର ନ୍ୟୁ ହଷ୍ଟେଲରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

ସେପଟେ ସମ୍‌ ହସ୍ପିଟାଲ ପକ୍ଷରୁ କେନ୍ଦ୍ରାପଡ଼ା ଓ ଅନୁଗୋଳରେ ହେବାକୁ ଥିବା କୋଭିଡ୍‌ ହସ୍ପିଟାଲ ଆସନ୍ତାକାଲି କାର୍ଯ୍ୟକ୍ଷମ ହେବ । ଅନୁଗୋଳରେ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହୋଇଛି । ଏଥିରେ ୬ ଟି ICU ବେଡ୍‌ ସହ ୧୪୪ ଟି ଅନ୍ୟ ବେଡ୍‌ ରହିଛି। ଏଥିପାଇଁ ଆବଶ୍ୟକୀୟ ଅତ୍ୟାଧୁନିକ ଭେଣ୍ଟିଲଟର ଏବଂ ଅନ୍ୟ ସରଞ୍ଜାମ ଲାଗି ସାରିଛି।  ସେହିପରି  କରୋନା ମୁକାବିଲା ପାଇଁ କେନ୍ଦ୍ରାପଡ଼ା ଛତାରେ ସମ୍‌ ହସ୍ପିଟାଲ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ହୋଇଛି । ଏନେଇ ଆଜି ଜିଲ୍ଲା ପ୍ରଶାସନ ଓ ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହି ହସ୍ପିଟାଲରେ ୯ଟି ସ୍ବତନ୍ତ୍ର ଆଇସିୟୁ ବେଡ୍‌ ରହିଥିବା ବେଳେ ୬ଟି ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଇଛି । ମାତ୍ର ୭ ଦିନରେ ୧ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରିଥିବା ବେଳେ ଏବେ ଏହି ସଂଖ୍ୟା ୬ ହଜାରକୁ ବୃଦ୍ଧି କରିବାକୁ ଯୋଜନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.