୨୦ ତାରିଖରେ ମହାବାତ୍ୟା ଅମ୍ପାନ୍‌ ସ୍ଥଳଭାଗ ଛୁଇଁବ: ଓଡିଶା ଉପକୂଳ ଜିଲ୍ଲା ଉପରେ ପଡିବ ବାତ୍ୟାର ପ୍ରଭାବ

Published By : Prameya-News7 Bureau | May 18, 2020 IST

ଭୁବନେଶ୍ବର୧୮/୫: ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି । ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରାଯାଉଛି । ସମୁଦ୍ର ଠାରୁ ୫ କିମି ଦୂରରେ ଥିବା ଲୋକ ଓ କଚା ଓ ଆଜବେଷ୍ଟସ ଘରେ ବା ତଳିଆ ଅଞ୍ଚଳରେ ଥିବା ଲୋକ ମାନେ ଆଜି ସନ୍ଧ୍ୟା ସୁଦ୍ଧା ନିକଟବର୍ତ୍ତୀ ବାତ୍ୟା ଆଶ୍ରୟ ସ୍ଥଳକୁ ଚାଲିଯିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ଆମ୍ଫାନ ସ୍ଥଳ ଭାଗ ଆଡ଼କୁ ଯେତିକି ପାଖେଇ ଆସୁଛି ସେହି ପରିମାଣରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜନସଧାରଣ ସେତିକି ସଜାଗ ଓ ସତର୍କ ହେଉଥିବାର ଦେଖାଯାଇଛି । ବାତ୍ୟାର ମୁକାବିଲା ନିମନ୍ତେ ଜିଲାପ୍ରସାନ  ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଯାଇଥିବା ବେଳେ ସମୁଦ୍ର ନିକଟବର୍ତ୍ତୀ ସ୍ଥାନ ଗୁଡିକରେ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ସଜାଗ ରଖା ଯାଇଛି । ତେବେ ଆରପଟେ ଅନେକ ବାତ୍ୟାକୁ ଅଙ୍ଗେ ନିଭାଇ ଥିବା ଜିଲ୍ଲା ଏରସମା ଅଞ୍ଚଳର ସମୁଦ୍ର ନିକଟବର୍ତ୍ତୀ ଗାଁର ଲୋକମାନେ ପ୍ରଶାସନ ନିର୍ଦ୍ଦେଶ ପୂର୍ବରୁ ନିଜର ଧନ ଜୀବନ ସୁରକ୍ଷିତ ରଖିବା ନିମନ୍ତେ ଆଗୁଆ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳକୁ ଆସି ନିଜର ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ, କାଗଜପତ୍ର ଆଦି ଆଶ୍ରୟ ସ୍ଥଳରେ ରଖିକରି ଯିବାର ମଧ୍ୟ ଦେଖା ଯାଇଛି । ତେବେ ଆଜି ସନ୍ଧ୍ୟା ସୁଦ୍ଧା କେଉଁ କେଉଁ ଅଞ୍ଚଳରୁ କେତେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ତାହା ପ୍ରଶାସନ ନିଷ୍ପତି ନେବ ବୋଲି ସୂଚନା ମିଳିଛି ।

ଏନଡିଆରଏଫର ଏକ ଟିମକୁ ମୃତୟନ କରାଯାଇ ଥିବା ବେଳେ ଜିଲ୍ଲା ସଦର ମହକୁମାରେ ରାୟଗଡା, ସମ୍ବଲପୁର ଓ କେନ୍ଦୁଝର ଆଦି ଜିଲ୍ଲାରୁ ୫ଟି ଅଗ୍ନିଶମ  ଟିମ ଆସି ପହଁଚିଛି । ଯନ୍ତ୍ର ଚାଳିତ କରତ ଓ  ବିଭିନ୍ନ ଆନୁସଙ୍ଗିକ ଯନ୍ତ୍ରପାତି ସହିତ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସଜାଗ ରହିଛନ୍ତି । ବାତ୍ୟା ପରେ ଗଛ କାଟି ରାସ୍ତା ସଫା କରିବା, ଲୋକମାନଙ୍କୁ ଉଦ୍ଧାର କରିବା ଆଦି ସମସ୍ତ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା କହିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.