WTC ଫାଇନାଲ୍ ଖେଳିବା ମାତ୍ରେ ବଦଳିଯିବ ଭାରତୀୟ କ୍ରିକେଟ୍‌ର ଇତିହାସ, ୮୯ ବର୍ଷରେ ପ୍ରଥମ ଥର ହେବ ଏମିତି

Published By : Prameya-News7 Bureau | May 17, 2021 IST

ନୂଆଦିଲ୍ଲୀ ୧୭।୦୫: ଆସନ୍ତା ମାସରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଅନସିପ୍‌ର ଫାଇନାଲ୍ ମୁକାବିଲା ଖେଳାଯିବ। ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟମର ରୋଜ ବାଉଲ ମଇଦାନରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ଖେଳିବାକୁ ଭାରତୀୟ ଦଳ ପଡିଆକୁ ଓହ୍ଲାଇବା ମାତ୍ରେ ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଯିବ। ୮୯ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ଦଳ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ୍ ଖେଳିବ।

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ରୁ ଟେଷ୍ଟ ମାନ୍ୟତାପ୍ରାପ୍ତ ୧୨ ଦେଶ ମଧ୍ୟରୁ କେବଳ ଦୁଇଟି ଦେଶ ନିରପେକ୍ଷ ସ୍ଥାନରେ ଏ ଯାଏଁ ଟେଷ୍ଟ ମ୍ୟାଚ୍ ଖେଳି ନାହାନ୍ତି। ଏଥିରେ ଭାରତ ସହିତ ବାଂଲାଦେଶର ନାମ ରହିଛି।

ତାଲିକାରେ ସାମିଲ୍ ହେବ ଭାରତ

ସୁରକ୍ଷା କାରଣରୁ ଏକ ଦଶନ୍ଧିରୁ ଅଧିକ ସମୟ ହେବ କୌଣସି ବିଦେଶୀ ଟିମ୍  ପାକିସ୍ତାନ ଗସ୍ତ କରୁ ନାହାନ୍ତି। ପାକିସ୍ତାନ ନିଜର ଘରୋଇ ମ୍ୟାଚ୍‌ର ଆୟୋଜନ ୟୁଏଇ ଓ ଶ୍ରୀଲଙ୍କାରେ କରାଇଛି। ତେଣୁ ପାକିସ୍ତାନ ବିପକ୍ଷ ସିରିଜ୍‌ରେ ଅଧିକାଂଶ ଦଳକୁ ନିରପେକ୍ଷ ସ୍ଥାନରେ ଟେଷ୍ଟ ସିରିଜ୍‌ ଖେଳିବାର ସୁଯୋଗ ମିଳିଛି। ଏଥିରେ ନ୍ୟୁଜିଲାଣ୍ଡ ମଧ୍ୟ। କ୍ଵିଓ୍ଵି ଦଳ ୨୦୧୪ରୁ ନେଇ ୨୦୧୮ ପର୍ଯ୍ୟନ୍ତ ନିରପେକ୍ଷ ସ୍ଥାନରେ ଛଅ ଟେଷ୍ଟ ମ୍ୟାଚ୍ ଖେଳି ସାରିଛି। ଏଥିରୁ ଦଳ ତିନୋଟିରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାଜିତ ହୋଇଛି। ଅନ୍ୟପଟେ ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୦୭ରୁ କୌଣସି ଟେଷ୍ଟ ମ୍ୟାଚ୍ ଖେଳା ଯାଇ ନାହିଁ।

୨୨ ବର୍ଷ ପୂର୍ବେ ମିଳିଥିଲା ସୁଯୋଗ

ଭାରତ ଏହା ପୂର୍ବରୁ ୧୯୯୯ରେ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲା। ହେଲେ ଭାରତୀୟ ଦଳ ଏସିଆ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍‌ରେ ପହଞ୍ଚି ପାରିନଥିଲା। ଏହି ମୁକାବିଲା ଢାକାରେ ଖେଳା ଯାଇଥିଲା। ପାକିସ୍ତାନ ଓ ଶ୍ରୀଲଙ୍କା ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌ ମୁକାବିଲା ଖେଳିଥିଲେ ଏବଂ ଏହା ନିରପେକ୍ଷ ସ୍ଥାନରେ ଆୟୋଜନ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.