ସାରୁଅ ଜମି ଦୁର୍ନୀତି: ଜଗି ଓ ବୈଜୟନ୍ତଙ୍କ ଏତଲା ରଦ୍ଦ ଆବେଦନ ଖାରଜ, ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇଲେ ହାଇକୋର୍ଟ

Published By : Prameya-News7 Bureau | November 20, 2020 IST

କଟକ ୨୦।୧୧: ସାରୁଅ ଜମି ଦୁର୍ନୀତି ମାମଲାରେ ବୈଜୟନ୍ତ ପଣ୍ଡା ଓ ଜଗିମଙ୍ଗ ପଣ୍ଡାଙ୍କୁ ଝଟକା। ହାଇକୋର୍ଟଙ୍କ ରାୟ ପରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ର ପ୍ରମୋଟରଙ୍କ ଅଡୁଆ ଵଢିଛି। ହାଇକୋର୍ଟ ଶୁକ୍ରବାର ଶୁଣାଇଥିବା ନିଷ୍ପତ୍ତିରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରମୋଟର ଵୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ଏତଲା ରଦ୍ଦ ଆଵେଦନକୁ ଖାରଜ କରିଦେଇଛନ୍ତି। ଏହି ମାମଲାରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ର ପ୍ରମୋଟର ଵୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ଜମି ହଡପ ନେଇ ଏତଲା ହୋଇଥିଲା। ଉଭୟ ଵୈଜୟନ୍ତ ଓ ଜଗି ପଣ୍ଡା ଏହି ଏତଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୂର୍ବରୁ ହାଇକୋର୍ଟ ମାମଲାର ଶୁଣାଣି କରି ଉଭୟଙ୍କୁ ପରଵର୍ତ୍ତି ଶୁଣାଣି ପର୍ଯ୍ୟନ୍ତ ଗିରଫ ନକରିବା ପାଇଁ କ୍ରାଇମବ୍ରାଞ୍ଚର ଇଓଡଵ୍ଲୁକୁ ନିର୍ଦ୍ଦେଶ ଦେଇଥିଲେ। ତେଵେ ଆଜି ଅର୍ଥାତ ଶୁକ୍ରବାର ହାଇକୋର୍ଟ ଶୁଣାଇଥିବା ନିଷ୍ପତ୍ତିରେ ଆବେଦନକାରୀଙ୍କ ଏତଲା ରଦ୍ଦ ଆଵେଦନକୁ ଖାରଜ କରିଦେଇଛନ୍ତି। ଏହା ସହ ଉଭୟ ଜଗି ଓ  ବୈଜୟନ୍ତଙ୍କ ଗିରଫଦାରୀ ଉପରେ ଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ହଟାଇଦେଇଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, ସରୁଆ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ଗତ ୧୩ ତାରିଖ ଦିନହାଇକୋର୍ଟ ଶୁଣାଣି ଶେଷ କରିଥିଲେ ମଧ୍ୟ ରାୟ ସଂରକ୍ଷିତ ଥିଲେ। ଆଜି ରାୟ ପ୍ରକାଶ ପାଇଛି। ଏହି ମାମଲାରେ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶରେ  ବୈଜୟନ୍ତ ଓ ଜଗିଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଥିଲା। ସେହି ପ୍ରସଙ୍ଗରେ କୋର୍ଟଙ୍କ ନିର୍ଦ୍ଦେଶରେ ସମସ୍ତ ପକ୍ଷ ଲିଖିତ ବିବୃତି ରଖିଥିଲେ। ପୂର୍ବରୁ ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏହି ମୂଳ ମାମଲା ଦାୟର କରିଥିବା ବେଳେ ମାମଲାକୁ ପ୍ରତ୍ୟାହାର କରି ନେବାକୁ ହାଇକୋର୍ଟରେ ସେ ଆବେଦନ କରିଛନ୍ତି।

ଗତ ୫ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୈଜୟନ୍ତ ଓ ଜାଗିଙ୍କୁ ପ୍ରଥମେ ନଭେମ୍ବର ୧୨ ଓ ପରେ ଶୁଣାଣି କରି ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ  ଗିରଫ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ ଲିମିଟେଡ଼ର ଅନ୍ୟତମ ନିର୍ଦ୍ଦେଶକ ନିହାର ଭୂୟାଁଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି କୋର୍ଟ ତାଙ୍କୁ ପୂର୍ବରୁ ମଧ୍ୟ ଆସନ୍ତା ସୋମବାର ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ତେବେ ଶୁକ୍ରବାର ଜଗି ଓ  ବୈଜୟନ୍ତଙ୍କ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଥିବାରୁ ସେମାନଙ୍କ ଗିରଫଦାରୀ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସାରୁଅରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍  ବେଆଇନ ଭାବେ ଜମି କିଣିବା ସହ ଜବର ଦଖଲ କରିଥିବା ଅଭିଯୋଗ ହୋଇଥିଲା। ସେହି ଅଞ୍ଚଳର କିଛି ଚାଷୀଙ୍କ ଅଭିଯୋଗ ଭିତ୍ତିରେ  ଏହି ଘଟଣା ନେଇ   ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏହାର ଖିଅ  ବେଶ ଲମ୍ବା ବୋଲି ମଧ୍ୟ ପ୍ରମାଣିତ ହୋଇଛି। କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ  ଘଟଣାର ଯାଞ୍ଚ କରିଥିବା ବେଳେ ଆୟକର ବିଭାଗକୁ ମଧ୍ୟ ଯାଞ୍ଚ ପାଇଁ ଅନୁରୋଧ କରାଯାଇଛି।           

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.