ଟ୍ରକ ଧକ୍କାରେ ଗଛରେ ପିଟି ହେଲା ବର ଗାଡି, ଅଳ୍ପକେ ବର୍ତ୍ତିଲେ ବର ଓ ଅନ୍ୟ ଯାତ୍ରୀ

Published By : Prameya-News7 Bureau | May 07, 2021 IST

ଚଣ୍ଡିଖୋଲ ୦୭।୦୫: ଖୁସି ଆନନ୍ଦରେ ବାହାଘର ପାଇଁ ଝିଅ ଘର ଅଭିମୁଖେ ଚାଲିଥିଲା ବର ଗାଡି। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଗଲା ଦୁର୍ଘଟଣା। ଟ୍ରକ ଧକ୍କାରେ ଦୁର୍ଘଟଣାଗସ୍ତ ହେଲା ବର ଗାଡି। ସୌଭାଗ୍ୟର କଥା ଅଳ୍ପକେ ବର୍ତ୍ତି ଯାଇଛନ୍ତି ବର ଓ ଅନ୍ୟ ଯାତ୍ରୀ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବର ଗାଡି ସହ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ବର ଗାଡ଼ିଟି ରାସ୍ତା କଡ଼ରେ ଏକ ଗଛରେ ପିଟି ହୋଇ ଚାପି ହୋଇ ରହିଛି। ଗାଡିରେ ବର ସହ ଅନ୍ୟ ଯାତ୍ରୀ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ, ବର ଗାଡ଼ିଟି ବାଲିକୁଦାରୁ ଚୌଦ୍ୱାର ଅଭିମୁଖେ ଯାଉଥିବା ବେଳେ, ମାଣ୍ଡୁକା ଛକ ନିକଟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ ଡ୍ରାଇଭରଙ୍କ ଅସାବଧାନତା ପାଇଁ ଏ ଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବର ଗାଡିଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର ଓ ଅନ୍ୟ ଯାତ୍ରୀମାନଙ୍କୁ ଅନ୍ୟ ଏକ ଗାଡ଼ିରେ ହସ୍ପିଟାଲ ପଠାଇ ଦିଆ ଯାଇଛି। ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.