ବାହାଘର ଦିନ ବାଇକ୍‌ ନେଇ ଫେରାର ହେଲା ବର, ରାଗରେ ଥାନାରେ ଦୁଷ୍କର୍ମ ଅଭିଯୋଗ କଲା କନିଆ

Published By : Prameya-News7 Bureau | December 03, 2021 IST

ଜୟପୁର ୦୩/୧୨: ବାହାଘର ଦିନ ବର ଗାଏବ। ପତ୍ତା ନମିଳିବା ପରେ ପୁଅ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଲେ ପରିବାର। ସେପଟେ ଖବର ପାଇ କନିଆ ପକ୍ଷଙ୍କ ଅବସ୍ଥା ଅସମ୍ଭାଳ ହୋଇପଡ଼ିଥିଲା। କନିଆକୁ ବୁଦ୍ଧି ବାଟ ନଦିଶିବା ପରେ ସେ ସିଧା ଥାନାରେ ପହଞ୍ଚିଥିଲେ। ବର ବିରୋଧରେ ରେପ କେସ୍‌ ଲଗାଇଥିଲେ ଯୁବତୀ। ଏମିତି ଏକ ଘଟଣା ରାଜସ୍ଥାନର ଝୁନଝୁନରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ସୂରଜଗଡ଼ କସାନୀ ଗାଁର ରବିଙ୍କ ବିବାହ ଡିସେମ୍ବର ପହିଲାରେ ଧାର୍ଯ୍ୟ ହୋଇଥିଲା। ବାହାଘର ଦିନ ସବୁ କିଛି ଠିକ୍‌ଠାକ ଚାଲିଥିଲା। କିନ୍ତୁ ହଠାତ ବର ରବି ବାଇକ୍‌ ନେଇ କେଉଁଆଡ଼େ ଚାଲିଯାଇଥିଲେ।

ବରଯାତ୍ରୀ ବାହାରିବା ପାଇଁ ପ୍ରସ୍ତୁତି ସରିଥିବା ବେଳେ ବରର ଦେଖାନମିଳିବାରୁ ସମସ୍ତେ ଚିନ୍ତାରେ ପଡ଼ିଯାଇଥିଲେ। ବହୁ ଖୋଜା ଖୋଜି ପରେ ରବିଙ୍କର କିଛି  ପତ୍ତା ମିଳିନଥିଲା। ଏହା ପରେ ପରିବାର ଲୋକେ ରବି ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ। ସେପଟେ  ବର ଗାଏବ ହୋଇଯାଇଥିବା ନେଇ କନ୍ୟା ପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ବାହାଘର ଦିନ ବର ଗାଏବ ଖବର ଶୁଣିବା ପରେ କନିଆଙ୍କ ପାଦ ତଳୁ ମାଟି ଖସିଯାଇଥିଲା।

ସବୁ ଆଡ଼େ ଚହଳ ପଡ଼ିଯାଇଥିଲା। ବର ଗାଏବ ହେବା କଥାକୁ କନିଆ ସହଜରେ ଗ୍ରହଣ କରିପାରିନଥିଲେ। ଏହା ପରେ କାହା କଥା ଶୁଣିବା ପୂର୍ବରୁ ସେ ସିଧା ଥାନାରେ ପହଞ୍ଚିଥିଲେ। ରବି ତାଙ୍କୁ ଏକା ପାଇ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ କରିଥିଲେ ଯୁବତୀ । ଯୁବତୀଙ୍କ ଅଭିଯୋଗ କ୍ରମେ, ରବି ତାଙ୍କୁ ନଭେମ୍ବର ୧୯ ତାରିଖରେ ନିଜ ଗାଁକୁ ଡକାଇଥିଲେ। ସେଠାରେ ବାହାଘର ଭାଙ୍ଗିବାକୁ ଧମକ ଦେବା ସହ ତାଙ୍କୁ ଦୁଷ୍କର୍ମ କରିଥିଲେ ରବି।

ଯୁବତୀଙ୍କ ପାଖରୁ ଅଭିଯୋଗ ପାଇବା ପରେ, ପୋଲିସ ରବିଙ୍କୁ ଖୋଜାଖୋଜି କରିଥିଲା । ରବି ଜଣେ ଯୁବତୀଙ୍କ ସହ ଥିବା ବେଳେ ପୋଲିସ ତାଙ୍କୁ କାବୁ କରିଥିଲା। ପୋଲିସର ପଚରା ଉଚରା ପରେ ଯୁବତୀଙ୍କୁ ଭଲ ପାଉଥିବା ନେଇ ରବି କହିଥିଲା। ତାଙ୍କ ଇଚ୍ଛା ବିରୋଧରେ ବାହାଘର ଠିକ୍‌ କରାଯାଇଥିବାରୁ ସେ ବିବାହ ପାଇଁ ରାଜି ନଥିଲେ । ତେଣୁ ସେ ବାଧ୍ୟ ହୋଇ ଫେରାର ହୋଇଯାଇଥିଲେ ବୋଲି ପୋଲିସକୁ ରବି କହିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.