କୃଷକଙ୍କୁ ସରକାରଙ୍କ ଉପହାର, ଏବେ ବାର୍ଷିକ ୬ ହଜାର ଟଙ୍କା ବଦଳରେ ମିଳିବ ୧୦ ହଜାର ଟଙ୍କା

Published By : Prameya-News7 Bureau | September 22, 2020 IST

ଭୋପାଳ ୨୨।୦୯: ୨୮ ବିଧାନସଭା ଆସନରେ ହେବାକୁ ଥିବା ଉପ ନିର୍ବାଚନ ପୂର୍ବରୁ ଶିବରାଜ ସରକାର ବଡ ଷ୍ଟ୍ରୋକ୍ ଖେଳିଛନ୍ତି। ସରକାର କୃଷକଙ୍କୁ ଖୁସି କରିବା ପାଇଁ ବଡ ଘୋଷଣା କରି କହିଛନ୍ତି ଏବେ ମଧ୍ୟ ପ୍ରଦେଶର ଚାଷୀଙ୍କୁ କିସାନ କଲ୍ୟାଣ ଯୋଜନା ଆଧାରରେ ୬୦୦୦ ଟଙ୍କା ବଦଳରେ ବାର୍ଷିକ ୧୦ ହଜାର ଟଙ୍କା ମିଳିବ। ଏଥିପାଇଁ ପିଏମ କିସାନ ସମ୍ମାନ ନିଧି ସହିତ ସିଏମ କିସାନ ସମ୍ମାନ ନିଧିକୁ ସଂଯୋଗ କରାଯିବ। ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକଙ୍କୁ ଦୁଇ ଦୁଇ ହଜାର ତିନୋଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ମିଳୁଛି। କିନ୍ତୁ ଏବେ ମଧ୍ୟ ପ୍ରଦେଶ ସରକାର ଏଥିରେ ଆଉ ଦୁଇ ହଜାର ଟଙ୍କାର ଅଧିକ ଦୁଇଟି କିସ୍ତି ଯୋଡି ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ଏହା ସହିତ ଏହି ଯୋଜନାରେ ସମସ୍ତ କୃଷକଙ୍କୁ ସାମିଲ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ସୋମବାର ରାଜଧାନୀ ଭୋପାଳରେ ମିଣ୍ଟୋ ହଲରେ ଆୟୋଜିତ ସମବାୟ ବିଭାଗ କାର୍ଯ୍ୟକ୍ରମରେ ଏହାର ଘୋଷଣା  କରିଛନ୍ତି। ଶିବରାଜ ସରକାରଙ୍କ ଏହି ଘୋଷଣା ଉପ ନିର୍ବାଚନ ପୂର୍ବରୁ କୃଷକଙ୍କୁ ଆକର୍ଷିତ କରିବା ପାଇଁ ଏକ ମାଷ୍ଟ୍ରରଷ୍ଟ୍ରୋକ୍ ବୋଲି କୁହାଯାଉଛି।

ଏହା ପୂର୍ବରୁ ରାଜ୍ୟ ସରକାର କୃଷକଙ୍କୁ ଉପହାର ଦେଇ ସବ୍‌କା ସାଥ, ସବ୍‌କା ବିକାଶ କାର୍ଯ୍ୟକ୍ରମ ଆୟୋଜନ  କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିବରାଜ ୬୩ ହଜାର କୃଷକ ହିତାଧିକାରୀଙ୍କୁ ଫସଲ ଋଣ ପାଇଁ କେସିସି ବିତରଣ କରିଛନ୍ତି। ଏହି ଋଣ ଉପରେ କୃଷକଙ୍କୁ କୌଣସି ସୁଧ ଲାଗିବ ନାହିଁ। ଚାଷୀଙ୍କୁ ଋଣ ଯୋଗାଇ ଦେବା ପାଇଁ ସମବାୟ ସମିତିଙ୍କୁ ୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ବ୍ୟତୀତ ସରକାର ଘୋଷଣା କରିଛନ୍ତି ଯେ, କିସାନ କ୍ରେଡିଟ୍‌ କାର୍ଡର ଫାଇଦା କୃଷକଙ୍କ ବ୍ୟତୀତ ପଶୁ ପାଳକ ଓ ମତ୍ସ୍ୟଜୀବୀଙ୍କୁ ମଧ୍ୟ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.