ଚୀନର ଗୁଇନ୍ଦାଗିରି ଉପରେ ସରକାର ଦେଲେ ଯାଞ୍ଚ ଆଦେଶ, ୩୦ ଦିନରେ ରିପୋର୍ଟ ଦେବ ଏକ୍ସପର୍ଟ କମିଟି

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଲୀ ୧୬।୦୯: ଚୀନ କମ୍ପାନୀ ଦ୍ଵାରା ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଭାରତର ୧୦ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଓ ସଂଗଠନର ଗୁଇନ୍ଦାଗିରି କରାଯିବା ମାମଲାରେ କେନ୍ଦ୍ର ସରକାର ବୁଧବାର ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଗୋଟିଏ ମାସ ଭିତରେ ରିପୋର୍ଟ ଦେବେ।

ସୂତ୍ର ଅନୁଯାୟୀ ଚୀନ କମ୍ପାନୀ ଜେନହୁଆ ଡାଟା ଲିକ୍‌ ମାମଲାରେ ସରକାର ଏହି ରିପୋର୍ଟକୁ ଅଧ୍ୟୟନ କରିବା, ଏହାର ମୂଲ୍ୟାଙ୍କନ କରିବା, ଆଇନର କୌଣସି ପ୍ରକାରର ଉଲ୍ଲଂଘନର ଆକଳନ କରିବା ପାଇଁ ନ୍ୟାସନାଲ ସାଇବର ସିକ୍ୟୁରିଟି କୋଅର୍ଡିନେଟର ଆଧାରରେ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କମିଟି ୩୦ ଦିନ ଭିତରେ ସରକାରଙ୍କୁ ନିଜର ରିପୋର୍ଟ ଦେବ।

ସରକାର ବିନା ଅନୁମତିରେ ଦେଶର ନାଗରିକଙ୍କ ତଥ୍ୟ ବିଦେଶକୁ ପଠାଯିବା ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଗୁଇନ୍ଦାଗିରି କରାଯିବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଚୀନ ଦ୍ଵାରା ଭାରତର ବିଶିଷ୍ଟ ବ୍ୟକ୍ତିଙ୍କ ଗୁଇନ୍ଦାଗିରି କରିବା ନେଇ ଚୀନ ରାଷ୍ଟ୍ରଦୂତ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଛି। ଚୀନ ଏହାର ଜବାବରେ କହିଛି ଯେ, ଜେନହୁଆ ଏକ ଘରୋଇ କମ୍ପାନୀ ଏବଂ ନିଜର ସ୍ଥିତିକୁ ସାର୍ବଜନୀନ ଭାବେ ଦର୍ଶାଇ ମଧ୍ୟ ସାରିଛି।

ଉଲ୍ଲେଖନୀୟ ଇଣ୍ଡିଆନ ଏକ୍ସପ୍ରେସ୍‌ ଖବର କାଗଜର ରିପୋର୍ଟରେ କୁହାଯାଇଥିଲା ଯେ ଚୀନର ଡାଟା କମ୍ପାନୀ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା, କ୍ୟାବିନେଟ୍ ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଅନେକ ହସ୍ତିଙ୍କ ଗୁଇନ୍ଦାଗିରି କରିଛି। ଖବରକାଗଜ ଏହା ମଧ୍ୟ ଦାବି କରିଥିଲା ଯେ, ଚୀନ ସରକାର ସହ ଏହି କମ୍ପାନୀର ସଂପର୍କ ରହିଛି।

ଏହା ପରେ କଂଗ୍ରେସ ପୂରା ପ୍ରସଙ୍ଗକୁ ସଂସଦରେ ଉଠାଇଥିଲା। କଂଗ୍ରେସ ସାଂସଦ ଗୃହରେ କହିଥିଲା ଯେ, ଚୀନର ଡିଜିଟାଲ ଆକ୍ରମଣର ମୁକାବିଲା ପାଇଁ ସରକାରଙ୍କୁ ମଜବୁତ ବ୍ୟବସ୍ଥା କରିବା ଉଚିତ୍। କଂଗ୍ରେସର ଦୁଇ ସାଂସଦ କେସି ବେଣୁଗୋପାଳ ଓ ରାଜୀବ ସାତବ ରାଜ୍ୟସଭାରେ ଶୂନ୍ୟକାଳ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହା ଉପରେ ରାଜ୍ୟସଭା ସଭାପତି ଏମ ଭେଙ୍କେୟା ନାଇଡୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଏହା ଉପରେ ଧ୍ୟାନ ଦେଇ ସମ୍ବନ୍ଧିତ ମନ୍ତ୍ରୀଙ୍କୁ ଏହାର ସୂଚନା ଦେବାକୁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.